ଡ୍ରାଗନ୍‌ ମୁକାବିଲା: ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବ ଦେଶର ଦୀର୍ଘତମ ରାସ୍ତା...

ଡ୍ରାଗନ୍‌ ମୁକାବିଲା: ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବ ଦେଶର ଦୀର୍ଘତମ ରାସ୍ତା...

ଚୀନ୍‌ର ବିସ୍ତାରବାଦୀ ନୀତି ସମ୍ପର୍କରେ ସାରା ବିଶ୍ୱ ଅବଗତ ଅଛି । ପଡ଼ୋଶୀମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ସ୍ଥଳ ତଥା ଜଳ ସଂସାଧନକୁ କବ୍‌ଜା କରିବା ହେଉଛି ଚୀନ୍‌ର ପ୍ରବୃତ୍ତି । ଦୁର୍ଭାଗ୍ୟଜନକ ଭାବରେ ଭାରତ ମଧ୍ୟ ଚୀନ୍‌ର ଏକ ପଡ଼ୋଶୀ ରାଷ୍ଟ୍ର । ଏଣୁ, ଭାରତ ନିଜର ସାର୍ବଭୌମତ୍ତ୍ୱକୁ ସୁରକ୍ଷିତ ରଖିବାକୁ ହେଲେ ସୀମାରେ ଥିବା ସଂସାଧନଗୁଡ଼ିକର ଉନ୍ନତିକରଣ ଦିଗରେ ଧ୍ୟାନ ଦେବା ଅପରିହାର୍ଯ୍ୟ । ଯାହାଦ୍ୱାରା ଚୀନ୍‌ର ସଫଳ ମୁକାବିଲା ହୋଇପାରିବ । ଖାସ୍‌ ଏଇଥିଲାଗି ବର୍ତ୍ତମାନ ଭାରତରେ କ୍ଷମତାସୀନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ୱାଧୀନ ରାଷ୍ଟ୍ରବାଦୀ କେନ୍ଦ୍ର ସରକାର ଚୀନ୍‌ ସୀମାନ୍ତରେ ଥିବା ଭାରତୀୟ ଅଞ୍ଚଳଗୁଡ଼ିକର ଉନ୍ନତିକରଣ ତଥା ଆଧୁନିକୀକରଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ନିବିଦ୍ଧ କରୁଛନ୍ତି । ଏହି କ୍ରମରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ସବୁଠାରୁ ଲମ୍ୱା ସଡ଼କ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା ରୂପରେଖ ଚୂଡ଼ାନ୍ତ କରିସାରିଛନ୍ତି । ବ୍ରହ୍ମପୁତ୍ର ଭଳି ବିଶାଳ ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ସଡ଼କର ଲମ୍ୱ ପ୍ରାୟ ୧୮ କିମିରୁ ଅଧିକ ହେବ ବୋଲି ଜଣାପଡ଼ିଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ସଡ଼କଟି ବାସ୍ତବତାର ରୂପ ତଥା ବ୍ୟବହାର ଉପଯୋଗୀ ହେଲା ପରେ ଚୀନ୍‌ ସୀମାରୁ ବାଂଲାଦେଶ ସୀମା ଯାଏଁ ଅବିଶ୍ୱସନୀୟ ଭାବରେ ସୁଦୀର୍ଘ ରାସ୍ତା ପ୍ରସ୍ତୁତ ହୋଇ ରହିବ, ଯାହା ସାମରିକ ରଣକୌଶଳ ଦୃଷ୍ଟିରୁ ଭାରତକୁ ଏକ ଆଡ଼ଭାଣ୍ଟେଜ୍‌ ପ୍ରଦାନ କରିବ । ନୂଆବର୍ଷରୁ ଆସାମର ଧୁବରୀ ଠାରୁ ମେଘାଳୟର ଫୁଲବାରୀ ପର୍ଯ୍ୟନ୍ତ ଏହି ବହୁ ପ୍ରତୀକ୍ଷିତ ସଡ଼କଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ପ୍ରାୟ ୩ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୨୭ ମସିହା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଭାରତୀୟ ସଡ଼କ ଓ ପରିବହନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ବ୍ରହ୍ମପୁତ୍ର ନଦୀ ପାରି ହେବାକୁ ଅନ୍ୟୁନ ୩ଘଣ୍ଟାର ସମୟ ଲାଗିଥାଏ । ଏଥିସହିତ ବର୍ଷାଦିନେ ଯୋଗଯୋଗ ମଧ୍ୟ ସମ୍ଭବପର ହୋଇପାରି ନଥାଏ, ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ପ୍ରାୟ ୨୫୦ କିମି ରାସ୍ତା ବୁଲିକରି ଯିବାକୁ ଏକରକମ ବାଧ୍ୟ ହୋଇଥାନ୍ତି । ତେବେ ବ୍ରହ୍ମପୁତ୍ର ନଦୀ ଉପରେ ଏହି ସୁଦୀର୍ଘ ସଡ଼କଟିର ନିର୍ମାଣ ଶେଷ ହେବା ପରେ ଆସାମ, ମେଘାଳୟ ଆଦି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ବର୍ଷସାରା ଗମନାଗମନରେ ଆଉ କୌଣସି ପ୍ରକାର ବାଧା ରହିବନି ।