ଟି-20 ସିରିଜ ନିଜ ନାମରେ କରି ଦିନିକିଆ ସିରିଜ ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ...

ଟି-20 ସିରିଜ ନିଜ ନାମରେ କରି ଦିନିକିଆ ସିରିଜ ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ...

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଲଗାତାର ଦ୍ୱିତୀୟ ଟି-୨୦କୁ ନିଜ ନାମରେ କରି ଐତିହାସିକ ସିରିଜ୍‌ ବିଜୟ ହାସଲ କରିଛି ଭାରତ । ଦିନିକିଆ ସିରିଜ ପରାଜିତ ହୋଇଥିଲେ ମଧ୍ୟ ବିରାଟ ବାହିନୀ ଦୃଢ଼ ଆତ୍ମବିଶ୍ୱାସର ସହିତ ସଫଳ ପ୍ରତ୍ୟାବର୍ତ୍ତନ କରି ଶେଷ ଦିନିକିଆ ସହିତ ଲଗାତାର ଦୁଇଟି ଟି-୨୦ରେ ବିଜୟ ହାସଲ କରି ବିଶ୍ୱର ଅନ୍ୟତମ ଦୁର୍ଦ୍ଦଶ ଦଳ ଅଷ୍ଟ୍ରେଲିଆକୁ ତାରି ମାଟିରେ ଧରାଶାୟୀ କରିଛି । ଆଜିର ଏହି ଟି-୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ । ନିମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ଭାରତକୁ ୧୯୫ ରନ୍‌ର କଷ୍ଟସାଧ୍ୟ ଟାର୍ଗେଟ୍‌ ଦେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଥିଲେ ମାଥ୍ୟୁ ଓ୍ୱେଡ୍‌ । ସେ ୩୨ ବଲ୍‌ରୁ ଦ୍ରୁତ ୫୮ ରନ୍‌ କରିଥିଲେ । ଏଥିସହିତ ଅନ୍ୟତମ ବିଶ୍ୱବିନ୍ଦିତ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ମଧ୍ୟ ୩୮ ବଲ୍‌ର ସାମ୍‌ନା କରି ଗୁରୁତ୍ତ୍ୱପୂର୍ଣ୍ଣ ୪୬ ରନ୍‌ କରିଥିଲେ ।  ବୋଲିଂରେ ଭାରତ ପକ୍ଷରୁ ଟି. ନଟରାଜନ୍‌ ୨ଟି ଉଇକେଟ୍‌ ନେଇଥିଲେ । ସାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲ ଉଭୟ ଗୋଟିଏ ଲେଖାଏଁ ଉଇକେଟ୍‌ ହାସଲ କରିବାରେ ସମର୍ଥ ହୋଇଥିଲେ । ସେହିପରି ଉଇକେଟ୍‌ ରକ୍ଷକ କେଏଲ୍‌ ରାହୁଲ୍‌ ମାଥ୍ୟୁ ଓ୍ୱେଡଙ୍କୁ ରନ ଆଉଟ୍‌ କରିଥିଲେ । ମ୍ୟାଚ୍‌ର ଦ୍ୱିତୀୟ ଇଂନିସରେ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିବାକୁ ଆସି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ (୩୦ ରନ, ୨୨ ବଲ, ୨ ଚୌକା, ୧ ଛକା) ଓ ଶିଖର ଧଓ୍ୱନ୍‌ (୫୨ ରନ୍‌, ୩୬ ବଲ, ୪ ଚୌକା, ୨ ଛକା) ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ । ତେବେ ଆଜିର ଏହି ମ୍ୟାଚ୍‌ରେ ହିରୋ ପାଲଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଶେଷ ସମୟରେ ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୨ଟି ବଲ୍‌ରୁ ହାସଲ କରିଥିଲେ ଅପରାଜିତ ୪୨ ରନ୍‌ । ଏଥିରେ ସାମିଲ୍‌ ରହିଛି ୩ ଚୌକା ଓ ୨ଟି ବିଶାଳ ଛକା । ପାଣ୍ଡ୍ୟାଙ୍କର ଏହି ଅବିଶ୍ୱସନୀ ଇଂନିସ ବଳରେ ଭାରତ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ସିରିଜ୍‌ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ଭାରତ । ଭାରତ ପକ୍ଷରୁ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ବିରାଟ କୋହଲି ୪୦ ରନ୍‌, ସଂଜୁ ସାମସନ୍‌ ୧୫ ରନ୍‌ ଓ ଶ୍ରେୟସ ଆୟର ଅପରାଜିତ ୧୨ ରନ୍‌ କରିଥିଲେ । ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଭାରତ ୨-୦ ଜିତିସାରିଥିଲେ ମଧ୍ୟ ୮ତାରିଖରେ ହେବାକୁ ଥିବା ଅନ୍ତିମ ମ୍ୟାଚ୍‌ଟିରେ ବିଜୟ ହାସଲ କରି ଅଷ୍ଟ୍ରେଲିଆକୁ ତାରି ମାଟିରେ ସିରିଜ୍‌ ମୂଳପୋଛ କରି ବିରଳ କୀର୍ତ୍ତି ସ୍ଥାପନ କରିବାକୁ ନିଶ୍ଚୟ ଲକ୍ଷ୍ୟ ରଖିବ ।