କରୋନା ସଂକଟରୁ ମୁକୁଳିବ ଦେଶ, କୋଭିଡ ଚିକିତ୍ସା ପାଇଁ ଆସିଲା ସ୍ୱଦେଶୀ ଔଷଧ, ପ୍ରୟୋଗ ପରେ ଆବଶ୍ୟକ ପଡ଼ିବ ନାହିଁ ସପ୍ଲିମେଣ୍ଟ ଅକ୍ସିଜେନ...

କରୋନା ସଂକଟରୁ ମୁକୁଳିବ ଦେଶ, କୋଭିଡ ଚିକିତ୍ସା ପାଇଁ ଆସିଲା ସ୍ୱଦେଶୀ ଔଷଧ, ପ୍ରୟୋଗ ପରେ ଆବଶ୍ୟକ ପଡ଼ିବ ନାହିଁ ସପ୍ଲିମେଣ୍ଟ ଅକ୍ସିଜେନ...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱଦେଶୀ ଔଷଧ ବ୍ୟବହାର ପାଇଁ ମିଳିଲା ସରକାରୀ ସ୍ୱୀକୃତୀ । ଏହି ଔଷଧଟିର ବିସ୍ତୃତ ନାମ ହେଉଛି ୨-ଡିଓସି-ଡି-ଗ୍ଲୁକୋଜ୍‌ ଏବଂ ସଂକ୍ଷିପ୍ତ ନାମ ୨-ଡିଜି । କୋଭିଡ ଚିକିତ୍ସାରେ ଗେମଚେଞ୍ଜର ଭୂମିକା ନିର୍ବାହ କରିବାକୁ ଥିବା ଏହି ଔଷଧଟିକୁ ମିଳିତ ଭାବେ ବିକଶିତ କରିଛନ୍ତି ଡିଆରଡିଓ ର ଆଇଏନଏମଏଏସ ଏବଂ ଡ.ରେଡ୍ଡି । ଏହି ଔଷଧ କରୋନା ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି କରିବାରେ ସାହାଯ୍ୟ କରୁଥିବାରୁ କୋଭିଡ ସଂକ୍ରମିତ ମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଅକ୍ସିଜେନ ସପ୍ଲିମେଣ୍ଟର ଆବଶ୍ୟକତା ପଡ଼ୁନାହିଁ ବୋଲି ମେଡ଼ିକାଲ ପରୀକ୍ଷଣ ସମୟରୁ ନିଷ୍କର୍ଷ ବାହାରିସାରିଛି । ତେଣୁ ଭାରତରେ କରୋନାର ଦ୍ୱିତୀୟ ଲହରକୁ ସଫଳ ମୁକାବିଲା କରିବାରେ ଏହି ୨-ଡିଜି ଔଷଧ ଏକ ସଞ୍ଜିବନୀ ବୁଟି ସଦୃଶ କାମ କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏମିତିକି ଆଶ୍ଚର୍ଯ୍ୟଜନକ ଭାବରେ ଏହି ଔଷଧ ଦ୍ୱାରା ଚିକିତ୍ସିତ ବ୍ୟକ୍ତିଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସୁଥିବାର ଲକ୍ଷ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ କୋଭିଡ ବିରୁଦ୍ଧରେ ନିର୍ଣ୍ଣାୟକ ସଂଗ୍ରାମର ରୂପରେଖ ପ୍ରସ୍ତୁତ କରିବା ପାଇଁ ଦେଶବାସୀଙ୍କୁ ଦେଇଥିବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡିଆରଡିଓ ଓ ଡ.ରେଡ୍ଡି ଏହି ଔଷଧକୁ ବିକଶିତ କରିଛନ୍ତି । ସୂଚନା ଅନୁସାରେ, ଗତ ଏପ୍ରିଲ ୨୦୨୦ରୁ ବୈଜ୍ଞାନିକ ମାନେ ଏହି ପ୍ରତୀକ୍ଷିତ ଔଷଧ ଉପରେ ଆବିଷ୍କାର କରିବା ଉପରେ ବିଭିନ୍ନ ଡାକ୍ତରୀ ଗବେଷଣା କରିଆସୁଥିଲେ । ତେବେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହା ସମ୍ପୂର୍ଣ୍ଣ ପ୍ରଭାବୀ ଓ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଏହାକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରୟୋଗ କରିବାକୁ ଆବଶ୍ୟକୀୟ ଅନୁମତି ମିଳିସାରିଥିବାରୁ ଯଥାଶୀଘ୍ର କରୋନା ସଙ୍କଟରୁ ଦେଶ ମୁକୁଳିବ ବୋଲି ସ୍ୱାସ୍ଥ୍ୟ ବିଶାରଦମାନେ ଆଶା ରଖିଛନ୍ତି ।