କାନାଡା ସାଧାରଣ ନିର୍ବାଚନ: ଲିବରାଲ ପାର୍ଟିକୁ ବହୁମତ

କାନାଡା ସାଧାରଣ ନିର୍ବାଚନ: ଲିବରାଲ ପାର୍ଟିକୁ ବହୁମତ

କାନାଡା ସାଧାରଣ ନିର୍ବାଚନରେ ଲିବରାଲ ପାର୍ଟିକୁ ସଫଳତା ମିଳିଛି। ଦେଶରେ ହୋଇଥିବା ମଧ୍ୟାବଧି ନିର୍ବାଚନରେ ଲିବରାଲ ପାର୍ଟିକୁ ଅନ୍ୟ ରାଜନୈତିକ ଦଳଙ୍କ ତୁଳନାରେ ଅଧିକ ଭୋଟ ମିଳିଛି। ହାଉସ୍ ଅଫ କମନସରେ ପାର୍ଟିକୁ ୧୫୬ଟି ଆସନ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି କ୍ଷମତାକୁ ଫେରିଛନ୍ତି। ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଞ୍ଜରଭେଟିଭ ପାର୍ଟିକୁ ୧୨୧ଟି ଆସନ ମିଳିଥିବା ବେଳେ ବ୍ଲକ କ୍ୟୁବେକୋଇସକୁ ୩୨, ନ୍ୟୁଡେମୋକ୍ରାଟିକ ପାର୍ଟିକୁ ୨୭ ଓ ଗ୍ରୀନପାର୍ଟିକୁ ୨ଟି ଆସନ ମିଳିଛି।କାନାଡା ନିର୍ବାଚନରେ ବିଜୟୀ ହେବାକୁ ହେଲେ କୌଣସି ପାର୍ଟିକୁ ୩୮ ପ୍ରତିଶତ ଭୋଟ ହାସଲ କରିବାକୁ ପଡିଥାଏ। ଗତ ସାଧାରଣ ନିର୍ବାଚନ ଫଳାଫଳ ଯଦିଓ ଲିବରାଲ ପାର୍ଟି ସପକ୍ଷରେ ଆସିଥିଲା ତଥାପି ସଂଖ୍ୟାଗରିଷ୍ଠତା ନଥିଲା। ଏଣୁ କୌଣସି ଆଇନ ଗୃହୀତ କରିବା ଲାଗି ସରକାରୀ ଦଳଙ୍କୁ ସଂସଦରେ ଅନ୍ୟ ଦଳର ସାଂସଦଙ୍କ ସହାୟତା ନେବାକୁ ପଡୁଥିଲା। ଏଣୁ ଟ୍ରୁଡୋ ମଧ୍ୟାବଧି ନିର୍ବାଚନ କରିବାକୁ ଗତ ଅଗଷ୍ଟ ୧୫ ତାରିଖ ଦିନ ଘୋଷଣା କରିଥିଲେ।୪୪ତମ ସାଧାରଣ ନିର୍ବାଚନରେ ଟ୍ରୁଡୋଙ୍କ ପାର୍ଟିକୁ ଯଦିଓ ବହୁମତ ମିଳିଛି, କିନ୍ତୁ ଗତ ନିର୍ବାଚନ ଫଳାଫଳ ତୁଳନାରେ ସେପରି କିଛି ଅଧିକ ସଫଳତା ମିଳି ନାହିଁ। ହାଉସ୍ ଅଫ କମନସର ମ୍ୟାଜିକ ନମ୍ବର ୧୭୦ ରହିଥିବା ବେଳେ ଟ୍ରୁଡୋଙ୍କ ଦଳକୁ ଗତଥର ୧୫୫ଟି ଆସନ ମିଳିଥିବା ବେଳେ ଏଥର ମାତ୍ର ଗୋଟିଏ ଅଧିକ ହୋଇ ୧୫୬ଟି ଆସନ ରହିଛି। ଏଣୁ ସଂଖ୍ୟାଗରିଷ୍ଠତା ଲାଗି ଲିବରାଲ ପାର୍ଟିକୁ ଏଥର ମଧ୍ୟ ମେଣ୍ଟର ସାହାରା ନେବାକୁ ହେବ।