ମମିତା ମେହେର ହତ୍ୟା ଘଟଣା: ଡିସିପି ଅଫିସ୍ ଘେରିଲା ବିଜେପି

ମମିତା ମେହେର ହତ୍ୟା ଘଟଣା: ଡିସିପି ଅଫିସ୍ ଘେରିଲା ବିଜେପି

କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ତୀବ୍ର ହେଉଛି ପ୍ରତିବାଦ । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ମାମଲାରେ ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା ଓ ଭୁବନେଶ୍ବର ଜିଲ୍ଲା ବିଜେପି ।  ଆଜି ବିଜେପିର ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି ଡିସିପି ଅଫିସ୍ ଘେରାଉ କରିଥିବାର ଜଣାପଡିଛି । ଏହି ସମୟରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଆନ୍ଦୋଳନକାରୀ ବିଜେପି କର୍ମୀଙ୍କୁ ଉଠାଇନେଇଥିବାର ଜଣାପଡିଛି । ଅନ୍ୟ ପକ୍ଷରେ ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସାଙ୍ଗଠନିକ ଘୁମୁଷର ଜିଲ୍ଲା ବିଜେପି ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି । ବିଜେପି କର୍ମୀ ମାନେ ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ଅନୁଯାୟୀ, ମମିତା ପରିବାରକୁ ନ୍ୟାୟ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିଲା। ବିଜେପି କର୍ମୀ ମାନେ ଛତ୍ରପୁର ଉପର ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମମିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ଏବଂ ଗିରଫ ଦାବି କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ମଧ୍ୟ।