‘କରୋନା’ କୋପରୁ ସାରା ବିଶ୍ୱକୁ ମିଳିବ ମୁକ୍ତି ! ଶତ ପ୍ରତିଶତ ସଫଳତା ନେଇ ଦାବି କଲା ମଡ଼ର୍ଣ୍ଣା...

‘କରୋନା’ କୋପରୁ ସାରା ବିଶ୍ୱକୁ ମିଳିବ ମୁକ୍ତି ! ଶତ ପ୍ରତିଶତ ସଫଳତା ନେଇ ଦାବି କଲା ମଡ଼ର୍ଣ୍ଣା...

କରୋନା ରୂପୀ ପିଶାଚର ଦୌରାତ୍ମ୍ୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ସମୟରେ ଏଥିରୁ ମୁକ୍ତି ପାଇବାର ପଥ ଦିନକୁ ଦିନ ପ୍ରଶସ୍ତ ହେବାରେ ଲାଗିଛି । ବିଶେଷ କରି ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଉପରେ ସାରା ବିଶ୍ୱର ନଜର ରହିଛି । ଦିନ ବିତିବା ସହିତ ‘କରୋନା’ର ସଫଳ ମୁକାବିଲା ସଂକ୍ରାନ୍ତରେ କିଛିନା କିଛି ସକରାତ୍ମକ ଖବର ବିଶ୍ୱର ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଦ୍ୱାରା ପ୍ରକାଶ ପାଉଛି । ଏହିକ୍ରମରେ ଆମେରିକୀୟ ଟିକା କମ୍ପାନୀ ମଡ଼ର୍ଣ୍ଣା ପକ୍ଷରୁ ପ୍ରସ୍ତୁତ ଟିକା ଗୁରୁତର ‘କରୋନା’ ବ୍ୟାଧିରେ ଆକ୍ରାନ୍ତଙ୍କ ଆରୋଗ୍ୟ ନିମନ୍ତେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଦୃଢ଼ ଦାବି କରାଯାଇଛି, ଯାହାକୁ ନେଇ ସାରା ବିଶ୍ୱର ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ଏହି ଖବରଟି ଶିରୋନାମା ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ମଡ଼ର୍ଣ୍ଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ ହୋଇସାରିବା ପରେ ଉପଲବ୍ଧ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ନିଷ୍କର୍ଷ ବାହାରିଥିଲା ଯେ, ଟିକା ପ୍ରାୟ ୯୪.୧ ପ୍ରତିଶତ ଫଳପ୍ରଦ, ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ଏହି ପ୍ରତୀକ୍ଷିତ ଟିକା ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରୁଛି । ତେଣୁ କରୋନାଜନିତ ମୃତ୍ୟୁକୁ ରୋକିବାରେ ସାରା ବିଶ୍ୱରେ ଏହି ଟିକା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏବେ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି । ସଦ୍ୟ ସୂଚନା ଅନୁସାରେ ମଡ଼ର୍ଣ୍ଣା ପକ୍ଷରୁ ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ଟିକାର ବ୍ୟବହାରିକ ପ୍ରୟୋଗ ପାଇଁ ଅନୁମତି ମଗାଯାଇଛି । ଆବଶ୍ୟକ ଅନୁମତି ମିଳିଲେ ଆସନ୍ତା ଏକମାସ ମଧ୍ୟରେ ପ୍ରାୟ ୨କୋଟି ଡୋଜ୍‌ର ଟିକା ଆମେରିକାରେ ବିତରଣ କରାଯାଇପାରିବ ବୋଲି ମଡ଼ର୍ଣ୍ଣା କର୍ତ୍ତୃପକ୍ଷ ଜଣାଇଛନ୍ତି ।