ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ଦାଦାବଟି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ଦାଦାବଟି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ
ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ଦାଦାବଟି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ, ୦୨:୧୧: ଦାଦବଟି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡି ଗିରଫ କରିଛି । ୧୨ ଘଣ୍ଟାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଜେରାରେ ସେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନାନୁସାରେ, ସୋମବାର ଦିନ ୧୧ଟା ୫୫ରେ ଅନିଲ ଇଡି ଅଫିସରେ ପହଁଚିଥିଲେ । ତାଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା । ଏହାପୂର୍ବରୁ ମଧ୍ୟ ତାଙ୍କୁ ଇଡି ଅନେକ ଥର ସମନ ଜାରି କରିଛି । କିନ୍ତୁ ସେ ଉପସ୍ଥିତ ହୋଇନଥିଲେ । ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ତଦନ୍ତରେ ସହଯୋଗ କରୁନଥିବା ମଧ୍ୟ ଇଡି କହିଛି ।

ଗିରଫଦାରୀ ପୂର୍ବରୁ ଅନିଲଙ୍କ ବୟାନ ରେକର୍ଡ କରାଯାଇଛି । ସେ ଅପରାଧରେ ସକ୍ରିୟ ଯୋଦଗାନ କରିଥିବା ନେଇ ଇଡି ପାଖରେ ପ୍ରମାଣ ରହିଛି । ଏନେଇ ଇଡି ତାଙ୍କୁ ପ୍ରଶ୍ନ କରିଥିଲା । ସେ ଉତ୍ତର ନଦେଇପାରି କେବଳ ଅଭିଯୋଗକୁ ଖଣ୍ଡନ କରି ଚାଲିଥିଲେ ।  କିନ୍ତୁ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା ।

ଅନିଲଙ୍କ ଗିରଫଦାରୀ ପରେ ତାଙ୍କ ପତ୍ନୀ ଓ ପୁଅଙ୍କୁ ମଧ୍ୟ ପଚରାଉଚରା କରାଯିବ । ସେମାନଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା । କିନ୍ତୁ ସେମାନେ ହାଜର ହୋଇନଥିଲେ ।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ କମିଶନର ଥିବା ପରମବୀର ସିଂଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ତାଙ୍କର ଏକ ଚିଠି ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଅନିଲ ଦେଶମୁଖଙ୍କ ବିରୋଧରେ ଦାଦାବଟି, ଚାନ୍ଦା ଆଦାୟ ଆଦି ସଙ୍ଗୀନ ଅଭିଯୋଗ ଆଣିଥିଲେ ।