ମନିଷ ଅନୁରାଗ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ

ମନିଷ ଅନୁରାଗ ମୃୃତ୍ୟୁ ମାମଲା: ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ

ମନିଷ ଅନୁରାଗ ମୃୃତ୍ୟୁ ମାମଲାରେ ଆଜି ସରୁଛି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି। ୪ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି କମିଶନରେଟ୍‌ ପୋଲିସ। ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ହତ୍ୟାକାଣ୍ଡ ସହ ଜଡ଼ିତ ଅନେକ ତଥ୍ୟ ପୋଲିସ ବାହାର କରିଛି ବୋଲି କୁହାଯାଉଛି । ଇନଫୋସିଟି ଥାନାରେ ୩ ଅଭିଯୁକ୍ତଙ୍କୁ ରଖି ମାରାଥନ୍‌ ଜେରା ଚାଲିଥିଲା । ମୃତ୍ୟୁ ରହସ୍ୟର ତଥ୍ୟ ମିଳିଛି । କେଉଁଠି ବଚସା ହେଲା ହେଲା ? କେଉଁ ସ୍ଥାନରେ ପିଟାପିଟି ହେଲେ ? ଆକ୍ରମଣର କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିବ ପୋଲିସ । ମନିଷଙ୍କ ମୋବାଇଲ୍‌ ଫୋନ୍‌ ଖୋଜି ବାହାର କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇଛି । ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗିଥିଲେ ଅଭିଯୁକ୍ତ । ମୋବାଇଲ୍‌ ଫୋନ୍‌ ଗଲା କୁଆଡ଼େ ? କେଉଁଠି ଫିଙ୍ଗିଛନ୍ତି ? ୯ ତାରିଖରେ କୁଆଡ଼େ ଯାଇଥିଲେ ? ପଟିଆରୁ ପାତ୍ରପଡ଼ା ଭାୟା ଲକ୍ଷ୍ମୀସାଗର ଭିତରେ କେଉଁଠି କଣ ସବୁ ଘଟିଥିଲା ? ଏହି ସବୁ ନେଇ ୩ ଅଭିଯୁକ୍ତଙ୍କୁ ଜେରା କରି ଉତ୍ତର ପାଇବାକୁ ଚେଷ୍ଟା କରିଥିଲା ପୋଲିସ।

ତେବେ ଗତ ୯ ତାରିଖରେ ୩ଟି ବାରକୁ ଯାଇଥିଲେ ମନୀଷ, ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶ ବୋଲି ଜଣା ପଡ଼ିଛି। ବାରରେ ୬୭ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜେରା ବେଳେ ମାନିଛନ୍ତି ଅଭିଯୁକ୍ତ। ଗିରଫ ପୂର୍ବର ବୟାନ ଏବଂ ଏବେର ବୟାନକୁ ନେଇ ତଜର୍ମା କରୁଛି ପୋଲିସ। କୋର୍ଟରେ ହାଜର କରିବା ପୂର୍ବରୁ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୋଲିସ। ତେବେ ଆଜି କୋର୍ଟରେ ପୋଲିସ୍‌ ଆଉଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି କୁହାଯାଉଛି।