ମାତୃ ଦିବସ ଉପଲକ୍ଷେ...

ମାତୃ ଦିବସ ଉପଲକ୍ଷେ...

ଆଜି ମେ’ ମାସର ଦ୍ୱିତୀୟ ରବିବାର । ବହୁତ ଖାସ୍‌ ଏହି ଦିନଟି, କାରଣ ସାରା ବିଶ୍ୱରେ ଆଜିର ଏହି ଦିନଟିକୁ ‘ମାତୃ ଦିବସ’ ରୂପେ ପାଳନ କରାଯାଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ମା’ ର ନିସ୍ୱାର୍ଥପର ସ୍ନେହ, ଆଦର ଓ ସେବାକୁ ସ୍ମରଣୀୟ କରିବାର ଅଭିପ୍ରାୟ ରଖି ଆଜିର ଏହି ପବିତ୍ର ଦିନଟିକୁ ଉତ୍ସର୍ଗ କରାଯାଇଛି ।  କଥାରେ ଅଛି ମା’ ଭଗବାନଙ୍କ ଅନ୍ୟ ରୂପ । ଶିଶୁଟିଏ ଧରାପୃଷ୍ଠରେ ଅବତରଣ କରି ଅନ୍ୟମାନଙ୍କ ସାନ୍ନିଧ୍ୟ ଲାଭ କରିବା ପୂର୍ବରୁ ମାତୃଗର୍ଭ ହିଁ ଥାଏ ତାର ନିରାପଦ ଆଶ୍ରୟସ୍ଥଳୀ । ତେବେ ଏହି ସମୟରେ ମା’ ଯେଉଁ ପୀଡ଼ା, ଯନ୍ତ୍ରଣା ପାଏ ସେସବୁକୁ ଖାତିର ନକରି ଆକୁଳ ନୟନରେ ଚାହିଁ ରହିଥାଏ କେତେବେଳେ ତାର ଗର୍ଭସ୍ଥ ଶିଶୁ ଧରାପୃଷ୍ଠରେ ପାଦ ଥାପିବ ଏବଂ ତାକୁ ସ୍ପର୍ଶ କରି ସେ ଆତ୍ମତୃପ୍ତି ଲାଭ କରିବ । ବାସ୍ତବରେ ଦୁନିଆ ଦେଖିବାର ଯଥେଷ୍ଟ ଆଗରୁ ମା’ ତାର ଗର୍ଭସ୍ଥ ଶିଶୁ ଉପରେ ନିସ୍ୱାର୍ଥପର ସ୍ନେହ, ଶ୍ରଦ୍ଧାକୁ ଢାଳିଦେଇଥାଏ ଓ ତାକୁ ନେଇ ସେ ଅସରନ୍ତି ସ୍ୱପ୍ନ ଦେଖିଥାଏ । ସତେ ଯେମିତି ସେ ନିଜକୁ ଦୁନିଆର ସବୁଠାରୁ ସୌଭାଗ୍ୟଶାଳୀ ମହିଳା ଭାବେ ବିବେଚନା କରିଥାଏ । ପରମେଶ୍ୱର ତାକୁ ମହିଳା ରୂପରେ ଅବନୀ ବୁକୁରେ ଯେଉଁ ଦାୟିତ୍ୱ ନିର୍ବାହ କରିବାକୁ ପ୍ରେରିତ କରିଛନ୍ତି ସେଥିରେ କୃତାର୍ଥ ହୋଇଥାଏ । ଶିଶୁ ରୂପରେ ସେ ଯେଉଁ ପରମ ସୁଖ ଲାଭ କରିବାକୁ ଯାଉଛି ସେଥିପାଇଁ ସେ ସୃଷ୍ଟିକର୍ତ୍ତାଙ୍କୁ ବାରମ୍ୱାର ଧନ୍ୟବାଦ ଜ୍ଞାପନ କରୁଥାଏ । ଏହାରି ଭିତରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟି ସେ ଦିନ ଆସେ ଯେତେବେଳେ ଶିଶୁଟି ମାତୃଗର୍ଭରୁ ବାହାରି ଧରିତ୍ରୀରେ ନିଜର କୋମଳ ନୟନ ଦୁଇଟିକୁ ଖୋଲେ । ଏହି ସମୟରେ ସେହି ପ୍ରାଣଦାତ୍ରୀ ମା’ ର କୋଳ ଓ ପଣତକାନୀ ତାର ସୁରକ୍ଷା କବଚ ସାଜିଥାଏ । ନିରୀହ ଶିଶୁଟିର ଧୀର ଓ ଅସ୍ପଷ୍ଟ କ୍ରନ୍ଦନରେ ବିଚଳିତ ହୋଇପଡ଼େ ମା’ । ଏତିକିବେଳେ ଶିଶୁଟିକୁ ହସ୍ତରେ ଧରି ବୁକୁ ଚିରି ନିଜର ନିତମ୍ୱରୁ ଢାଳିଦିଏ ଅସରନ୍ତି ଅମୃତ । କିଛି ସମୟର ବ୍ୟବଧାନରେ ଶିଶୁଟିର କ୍ଷୁଧାର୍ତ୍ତ ଶାନ୍ତ ପଡ଼େ ଓ ସେ ନିଦ୍ରା ଯାଏ, ତଥାପି ମା’ର ମନ ବୁଝେନାହିଁ । ସେ ଯେମିତି ତା କୋଳରେ ଥିବା ନିଜର ଜନ୍ମିତ ଶିଶୁଟିକୁ ହସ୍ତମାପରେ ଦୂରେଇବାକୁ ନାରାଜ । ଏହାପରେ ଶିଶୁଟି ବସୁମତୀରେ ସୁରୁଖୁରୁରେ ତଥା ନିର୍ଦ୍ୱନ୍ଦରେ ଚାଲିବା, ବୁଲିବା, ଖେଳିବା, ଖାଇବା, ପିଇବା ଶିଖିବା ପର୍ଯ୍ୟନ୍ତ ଜଗତର ପ୍ରଥମ ଗୁରୁ ରୂପେ ସମସ୍ତ ଗୁରୁଦାୟିତ୍ୱ ନିଜେ ବହନ କରିଥାଏ ମା’ । ଏ ତ ଗଲା ଶିଶୁଟିର ଜନ୍ମବେଳ ଓ ଗର୍ଭ ସମୟରେ ମା’ ର ସ୍ନେହ ଓ ଆଦର କୁ ଶବ୍ଦରେ ପ୍ରକାଶ କରିବାର ଏକ ଛୋଟିଆ ପ୍ରୟାସ । ତେବେ ପରବର୍ତ୍ତୀ କାଳରେ ଶିଶୁ ଯେଉଁ ଶିକ୍ଷା ଓ ସଂସ୍କାର ପାଇ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥାଏ ସେଥିରେ ତାର ଜନନୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ଏହି ଚିରସତ୍ୟକୁ ସାରା ସଂସାରରେ କେହି ବି ବିରୋଧ କରିବାର ସତ୍‌ ସାହସ କରିପାରିବେ ନାହିଁ । ତେବେ ପାଠକବନ୍ଧୁ ! ଆସନ୍ତୁ ଜାଣିବା ‘ମାତୃ ଦିବସ’ ପାଳନର ଇତିହାସ ସମ୍ପର୍କରେ...

ପ୍ରଥମକରି ‘ମାତୃ ଦିବସ’ ପାଳନ ଆମେରିକାର ପଶ୍ଚିମ ଭର୍ଜିନିଆରୁ ଆରମ୍ଭ ହୋଇଥିଲା ୧୯୦୮ ମସିହାରେ । ସମାଜସେବୀ ଜ୍ୱାର୍ବୀସ ନିଜ ମା’ଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ଦିବସଟିକୁ ପାଳନ କରିବା ପାଇଁ ସ୍ଥିର କରିଥିଲେ । ନିଜ ମା’ଙ୍କୁ ଖୁବ ଶ୍ରଦ୍ଧା କରୁଥିଲେ ଜ୍ୱାର୍ବୀସ । ମାତ୍ର କିଛି ବର୍ଷର ଅତିକ୍ରାନ୍ତ ପରେ ଏହି ମାତୃଦିବସ ପାଳନର ଲୋକପ୍ରିୟତା ଓ ମହତ୍ତ୍ୱକୁ ବୁଝି ଏହାକୁ ଅଫିସିଆଲ ମୋହର ମାରିବା ପାଇଁ ଆଗେଇ ଆସିଥିଲେ ଆମେରିକାର ପ୍ରେସିଡେଣ୍ଟ ବୁଦ୍ରୋ ଉଇଲସନ । ସେ ୧୯୧୪ ମଇ ୯ ତାରିଖ ଦିନ ଗୋଟିଏ ଲ’ ପାସ କରାଇଲେ, ଯେଉଁଥିରେ ଲେଖା ଯାଇଥିଲା ମଇ ମାସର ଦ୍ୱିତୀୟ ରବିବାର ଦିନ ‘ମାତୃ ଦିବସ’ ରୂପେ ପାଳନ କରାଯାଇ ସାରା ବିଶ୍ୱର ମା’ମାନଙ୍କୁ ସମ୍ମାନିତ କରାଯିବ ।