ମୁକୁଲ ରୟଙ୍କ ଯିବ ସଦସ୍ୟତା ? ଅଯୋଗ୍ୟତା ମାମଲାରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ କହିଲେ ସୁପ୍ରିମକୋର୍ଟ

ମୁକୁଲ ରୟଙ୍କ ଯିବ ସଦସ୍ୟତା ? ଅଯୋଗ୍ୟତା ମାମଲାରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ କହିଲେ ସୁପ୍ରିମକୋର୍ଟ
ମୁକୁଲ ରୟଙ୍କ ଯିବ ସଦସ୍ୟତା ? ଅଯୋଗ୍ୟତା ମାମଲାରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୨।୧୧: ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ୍ ହୋଇଥିବା ମୁକୁଲ ରୟଙ୍କ  ବଢିବ ମୁସ୍କିଲ। ତାଙ୍କୁ ବିଧାୟକ ପଦରେ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାଖଲ ଯାଚିକା ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ବିଧାନସଭାର ବାଚସ୍ପତିଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ନ୍ୟାୟାଳୟ କହିଛନ୍ତି ଯେ, ବାଚସ୍ପତିଙ୍କ ଏମିତି ପ୍ରବୃତ୍ତିରୁ ସ୍ପଷ୍ଟ ଜଣା ପଡିଥାଏ ଯେ, ସେମାନେ  ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ମାମଲାରେ ନିର୍ଣ୍ଣୟ ନେବାକୁ ବହୁତ ବିଳମ୍ବ କରିଥାନ୍ତି।

ଶୁଣାଣି ସମୟରେ ବିଚାରପତି ନାଗେଶ୍ଵର ରାଓ କହିଛନ୍ତି, ନଭେମ୍ବର ମାସ ଚାଲିଛି। ଉଚ୍ଚ ନ୍ୟାୟାଳୟର ଏହି ମାମଲା ଉପରେ ନିଷ୍ପତ୍ତି ସେପ୍ଟେମ୍ବରରେ ଆସିଥିଲା। ତେବେଠୁ ଆଜି ଯାଏଁ ହୋଇଛି କଣ ? କଣ ବାଚସ୍ପତି ଏହା ଉପରେ କିଛି ନିର୍ଣ୍ଣୟ ନେଇଛନ୍ତି କି ?

କଲିକତା ଉଚ୍ଚ ନ୍ୟାୟାଳୟ ଅକ୍ଟୋବର ୭  ସୁଦ୍ଧା ନିର୍ଣ୍ଣୟ ନେବାକୁ ବାଚସ୍ପତିଙ୍କୁ କହିଥିଲେ। ହେଲେ ଗତ ୨୦-୨୫ ବର୍ଷରେ ଏମିତି ଅନେକ ମାମଲା ଦେଖିବାକୁ ମିଳିଛି, ଯେଉଁଠି ଅଯୋଗ୍ୟତା ସଂପର୍କିତ ଆବେଦନ ଉପରେ ବାଚସ୍ପତି ନିଷ୍ପତ୍ତି ନେବାରେ ବହୁତ ବିଳମ୍ବ କରନ୍ତି।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆମେ  ଆଶା କରୁଛୁ ବିଧାନସଭାର ବାଚସ୍ପତି ଡିସେମ୍ଵର ୨୧ରେ ଶୁଣାଣି କରିବେ ଏବଂ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ବାଚସ୍ପତିଙ୍କୁ ଉଚିତ୍ ସମୟରେ ନିଷ୍ପତ୍ତି ନେବାକୁ ଦିଆଯାଉ। ତାଙ୍କୁ ସମସ୍ତ ପକ୍ଷଙ୍କ କଥା ଶୁଣିବାକୁ ପଡିବ।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଜୁନ ୧୭ରେ ବାଚସ୍ପତିଙ୍କୁ ଆବେଦନ କରି ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଥିଲେ।