ସାରା ବିଶ୍ୱରେ ଚହଳ, କରୋନା ଭାଇରସ୍‌କୁ ଚିତ୍‌ପଟାଙ୍ଗ କରିବ ନାଜାଲ୍‌ ସ୍ପ୍ରେ, କାନାଡ଼ାରୁ ଆସିଲା ସୁଖଦ ଖବର...

ସାରା ବିଶ୍ୱରେ ଚହଳ, କରୋନା ଭାଇରସ୍‌କୁ ଚିତ୍‌ପଟାଙ୍ଗ କରିବ ନାଜାଲ୍‌ ସ୍ପ୍ରେ, କାନାଡ଼ାରୁ ଆସିଲା ସୁଖଦ ଖବର...

କରୋନା ରୂପୀ ପିଶାଚର ଦୌରାତ୍ମ୍ୟ ସାରା ବିଶ୍ୱରେ ହା ହା କାର ପରିସ୍ଥିତି ସୃଷ୍ଟି କରିଛି । ଭାରତରେ କରୋନା ସଂକ୍ରମଣର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ଏବେ ପ୍ରତିଦିନ ଅପ୍ରତ୍ୟାଶିତ ଭାବରେ ୪ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ନେଉଛି ଏହି ପ୍ରାଣଘାତୀ ଭାଇରସ୍‌ । ଏଭଳି ଦୟନୀୟ ସ୍ଥିତିରେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲୋକେ ଟିକାକୁ ସୁରକ୍ଷା କବଚ ସଦୃଶ ବିବେଚନା କରୁଛନ୍ତି । ମାତ୍ର ଏବେକାର ସ୍ଥିତିକୁ ବିଚାର କଲେ ଅବିଶ୍ୱସନୀୟ ଢଙ୍ଗରେ ଟିକାଠାରୁ କେଇଗୁଣ ଅଧିକ ଫଳପ୍ରଦ ହେଉଛି ସାନୋଟାଇଜ୍‌ (SaNOtize) ନାଜାଲ ସ୍ପ୍ରେ । ଯାହାକୁ ନାକରେ ସ୍ପ୍ରେ କରିବା ମାତ୍ରେ କରୋନା ଘାଇଲା ହେଉଛି । ଏହାକୁ କାନାଡ଼ାର ବୈଜ୍ଞାନିକମାନେ ଆବିଷ୍କାର କରିବା ପରେ ସାରା ବିଶ୍ୱରେ ଚହଳ ପଡ଼ିଯାଇଛି । ଏହି ଔଷଧ ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶା ରଖିଛନ୍ତି । ଆବଶ୍ୟକୀୟ ଅନୁମତି ପରେ ଭାରତକୁ ଏହି ଔଷଧ ଆସିଲେ ବହୁ ଗୁରୁତର କରୋନା ରୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ । ପ୍ରାଣଘାତୀ କରୋନା ଭାଇରସ୍‌କୁ ସମୂଳେ ନିପାତ କରିବା ପାଇଁ ଭାନକୋଭର ବାୟୋଟେକ୍‌ ଫାର୍ମ କମ୍ପାନୀ ଏହି SaNOtize ସ୍ପ୍ରେ ତିଆରି କରିଛି । ପ୍ରାପ୍ତ ସୂଚନା ଅନୁସାରେ, SaNOtize ଏକ ନାଇଟ୍ରିକ ଏସିଡ୍‌ ନାଜାଲ ସ୍ପ୍ରେ । ପରୀକ୍ଷଣରୁ ଜଣାପଡ଼ିଛି, ନାକରେ ସ୍ପ୍ରେ କରିବାର ଦିନକ ଭିତରେ ଭାଇରସ୍‌ର ପ୍ରଭାବ ୯୫ ପ୍ରତିଶତ ହ୍ରାସ ପାଇସାରିଥିଲା । ଆଉ ୭୨ ଘଣ୍ଟା ଭିତରେ କରୋନା ଆକ୍ରାନ୍ତଙ୍କ ଶରୀରକୁ ଏହା ସଂକ୍ରମଣରୁ ୯୯ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷିତ କରିପାରିଥିଲା ବୋଲି କମ୍ପାନୀ ଦାବି କରିଛି । ସୂଚନା ମୁତାବକ, ଏହି ସ୍ପ୍ରେ କୁ ବ୍ରିଟେନ ଭେରିଆଣ୍ଟ ବିରୋଧରେ ପରୀକ୍ଷା କରାଯାଇଥିଲା । ଇସ୍ରାଏଲ୍‌ କିଛି ନାମୀ ବୈଜ୍ଞାନିକମାନେ ଏହି ସ୍ପ୍ରେ ଆବିଷ୍କାର କରିବାରେ ପ୍ରମୁଖ ଭୂମିକା ନେଇଥିବା ଜଣାପଡ଼ିଛି । ଭାରତରେ ଏହି ସ୍ପ୍ରେ କୁ ବ୍ୟବହାରିକ ଅନୁମତି ମିଳିପାରିଲେ ଏହା କରୋନା ଲଢେଇରେ ଅମୋଘ ଅସ୍ତ୍ର ପାଲଟିବ ବୋଲି ଦେଶର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ସାନୋଟାଇଜର ସିଇଓ ତଥା ସହ-ପ୍ରତିଷ୍ଠାତା ଡକ୍ଟର ଗିଲି ରେଗେ କହିଛନ୍ତି ଯେ, ସେ ଭାରତରେ କିଛି ବଡ଼ ଫାର୍ମା କମ୍ପାନୀ ସହିତ ଆଲୋଚନା ଆରମ୍ଭ କରିସାରିଛନ୍ତି । ଏହି ସ୍ପ୍ରେ କୁ ଭାରତରେ ଚିକିତ୍ସା ଉପକରଣ ଭାବରେ ଯଥାଶୀଘ୍ର ଅନୁମୋଦନ କରାଗଲେ ଭାରତ କରୋନା ସଂକଟରୁ ମୁକୁଳି ପାରିବ ବୋଲି ଉଲ୍ଲେଖ କରିଛନ୍ତି ଡକ୍ଟର ରେଗେ ।