ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ଲିଙ୍ଗ ଅନୁପାତରେ ଦେଶରେ ପ୍ରଥମଥର ପୁରୁଷଙ୍କୁ ଟପିଲେ ମହିଳା । ସଦ୍ୟତମ ପ୍ରକାଶ ପାଇଥିବା ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ (National Family and Health Survey ,NFHS)ର ୫ତମ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ନୂତନ ପ୍ରକାଶିତ ତଥ୍ୟ ଆଧାରରେ ବର୍ତ୍ତମାନ ଦେଶରେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ଜଣ ମହିଳା ରହିଛନ୍ତି, ଯାହା ଦେଶରେ ପ୍ରଥମ । ଏହି ସର୍ବେକ୍ଷଣ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିଲା ।

୧୯୯୯ ରେ ହୋଇଥିବା NFHS ସର୍ଭେରେ ୧୦୦୦ ପୁରୁଷରେ ମାତ୍ର ୯୨୭ ମହିଳା ଥିବା ତଥ୍ୟ ପ୍ରକାଶ ପାଇଥିଲା । ଯାହାକି ଚିନ୍ତାଜନକ ବୋଲି ବିଚାର କରାଯାଇଥିଲା । ନୋବେଲ ବିଜେତା ଅମର୍ତ୍ୟ ସେନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ "missing women" ବୋଲି କହିଥିଲେ ।

ସେହିପରି NFHS ତୃତୀୟ ସଂସ୍କରଣ ସର୍ଭେ 2005-06 ରେ ଲିଙ୍ଗ ଅନୁପାତ ସମାନ ଅର୍ଥାତ ୧୦୦୦:୧୦୦୦ ରହିଥିଲା । ସେହିପରି ୪ର୍ଥ ସଂସ୍କରଣ ସର୍ଭେରେ ଏହା 991:1000 କୁ ଖସି ଆସିଥିଲା । ଏବଂ ୫ମ ସର୍ଭେରେ ଲିଙ୍ଗ ଅନୁପାତରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା, ଯାହାକି ଦେଶରେ ପ୍ରଥମ ବୋଲି ବିଚାର କରାଯାଉଛି ।

ସରକାର ଗତ ବୁଧବାର 2019-21 NFHS-5ର ଜନସଂଖ୍ୟା, ଶିଶୁ ସ୍ୱାସ୍ଥ୍ୟ, ପାରିବାରିକ କଲ୍ୟାଣ, ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ମାପଦଣ୍ଡରେ ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲା, ଯାହାର ତଥ୍ୟ ପ୍ରକାଶ ପାଇଛି । ଏହି ୫ମ ପର୍ଯ୍ୟାୟରେ ସର୍ଭେରେ ଅନ୍ତର୍ଭୂକ୍ତ କରାଯାଇଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ, ହରିୟାଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ, ଓଡିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ।