ଦେଶରେ ବଢିଛି ଝିଅଙ୍କ ସଂଖ୍ୟା

ଦେଶରେ ବଢିଛି ଝିଅଙ୍କ ସଂଖ୍ୟା

ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ଏବେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୨୦ ରହିଛି । ଏହା ମହିଳାଙ୍କ ପ୍ରତି ଏକ ଶୁଭ ସଙ୍କେତ କହିଲେ ଭୁଲ ହେବନି। ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ୧୦୦୦ ଟପିଛି । ନ୍ୟାଶନାଲ ଫ୍ୟାମିଲି ହେଲଥ୍ ସର୍ଭେ-୫ ରିପୋର୍ଟରୁ ଏ ବିଷୟରେ ଜଣାପଡିଛି। ପୂର୍ବରୁ ୨୦୧୫-୧୬ରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୯୧ ଥିଲା ।

ସେହିପରି ଜନ୍ମ ସମୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ସୁଧାର ଆସିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୧୫-୧୬ରେ ପ୍ରତି ୧୦୦୦ ଶିଶୁ ପୁତ୍ରରେ ଶିଶୁକନ୍ୟାଙ୍କ ସଂଖ୍ୟା ୯୧୯ ରହିଥିଲା। ଏବେ ଏହା ୯୨୯ରେ ପହଁଚିଛି । ଲିଙ୍ଗଗତ ଅନୁପାତରେ ଗୋଆ ସବୁଠାରୁ ଭଲ ପ୍ରଦର୍ଶନ କରିଛି । ଏଠାରେ ଗ୍ରାମାଞ୍ଚଳରେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୩୭ ରହିଛି । ସହରାଞ୍ଚଳରେ ଏହି ସଂଖ୍ୟା ୯୮୫ । ପୂର୍ବରୁ ଏହି ସଂଖ୍ୟା ଗ୍ରାମରେ ୧୦୦୯ ଓ ସହରରେ ୯୫୬ ଥିଲା । ଦେଶରେ ଏପରି ୨୩ଟି ରାଜ୍ୟ ଅଛି ଯେଉଁଠି ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୦୦ରୁ ଅଧିକ ରହିଛି। ଯାହାକି ଆଗରୁ କେବଳ କେରଳରେ ଦେଖିବାକୁ ମିଳୁଥିଲା। ଉତ୍ତର ପ୍ରଦେଶରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟ ପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡଖଣ୍ଡରେ ୧୦୫୦ । ସେହିପରି ଦେଶରେ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଜନ୍ମହାର ୨ ପ୍ରତିଶତକୁ ଖସି ଆସିଛି । ଯାହାକି ୨୦୧୫-୧୬ରେ ୨.୨ ଥିଲା ।ସୂଚନାଯୋଗ୍ୟ, ୧୯୦୧ରେ ଦେଶରେ ଲିଙ୍ଗଗତ ଅନୁପାତ ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ରହିଥିଲା । କିନ୍ତୁ ସ୍ୱାଧିନତା ପରେ ୧୯୫୧ରେ ଏହା ୯୪୨କୁ ଖସି ଆସିଥିଲା । ୧୯୭୧ରେ ଏହା କମ୍ ହୋଇ ୯୩୦କୁ ଆସି ଯାଇଥିଲା । ୨୦୧୧ ଜନଗଣନା ଅନୁସାରେ ଏହି ସଂଖ୍ୟାରେ ସାମାନ୍ୟ ସୁଧାର ଆସି ୯୪୦ରେ ପହଁଚିଥିଲା । ଏହାସହ ମହିଳାଙ୍କ ପ୍ରତି ଘରୋଇ ଏବଂ ଯୌନ ହିଂସା ବୃଦ୍ଧି ପାଇଥିବାର ଏହି ରିପୋର୍ଟରୁ ଜଣାପଡିଛି।