ସ୍ଥଗିତ ରହିଲା NEET-ପିଜି କାଉନ୍‌ସେଲିଂ

ସ୍ଥଗିତ ରହିଲା NEET-ପିଜି କାଉନ୍‌ସେଲିଂ

NEET-ପିଜି କାଉନ୍‌ସେଲିଂ ଉପରେ ଲାଗିଲା ସ୍ଥଗିତାଦେଶ । କାଉନ୍‌ସେଲିଂ ବନ୍ଦ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ କାଉନ୍‌ସେଲିଂ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି ।

OBC, EWS ସଂରକ୍ଷଣ ବୈଧତାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ। ଏନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ଆଜିଠୁ ଆରମ୍ଭ ହେବାର ଥିଲା NEET-ପିଜି କାଉନ୍‌ସେଲିଂ ପ୍ରକ୍ରିୟା । କିନ୍ତୁ ଆଜି ହିଁ ସୁପ୍ରିମକୋର୍ଟ NEET- ପିଜି କାଉନସେଲିଂ ଉପରେ ରହିତାଦେଶ ଲଗାଇଛନ୍ତି । ଯେପର୍ଯ୍ୟନ୍ତ କୋର୍ଟ ସର୍ବ ଭାରତୀୟ ସଂରକ୍ଷଣରେ ଓବିସି ଏବଂ ଇଡବ୍ଲୁଏସ୍ ନେଇ କେନ୍ଦ୍ରର ନିଷ୍ପତ୍ତିର ବୈଧତା ଉପରେ ନିଷ୍ପତ୍ତି ନିଆଯାଇଛି ସେପର୍ଯ୍ୟନ୍ତ ଏହା ବନ୍ଦ ରହିବ ।ବରିଷ୍ଠ ଓକିଲ ଅରବିନ୍ଦ ପି ଦତ୍ତା ଜଷ୍ଟିସ୍ ଡି ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜନଙ୍କୁ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମେ ଏହି ନିଷ୍ପତ୍ତି ନ ନେବୁ ସେପର୍ଯ୍ୟନ୍ତ କାଉନସେଲିଂ ଆରମ୍ଭ ହେବ ନାହିଁ । କୋର୍ଟ ଗତ ସପ୍ତାହରେ EWS ମାନଦଣ୍ଡ ପାଇଁ କେନ୍ଦ୍ର ଦ୍ବାରା ଧାର୍ଯ୍ୟ ହୋଇଥିବା ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ସୀମାର ବୈଧତା ଉପରେ ସନ୍ଦେହ ପ୍ରକଟ କରିଥିଲେ । କିଛି ବିଶେଷ ପ୍ରସଙ୍ଗରେ ଉତ୍ତର ମାଗିଥିଲେ। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ ବି.ଭି. ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଗତ ସପ୍ତାହରେ ମାମଲାର ଶୁଣାଣି ଅକ୍ଟୋବର ୨୮ରେ କରିବା ପାଇଁ ସ୍ଥିର କରିଥିଲା।