ଗୁଜୁରାଟ ସରକାରଙ୍କ ନୂଆ ଟିମ; ଶପଥ ନେଲେ ୨୪ ମନ୍ତ୍ରୀ

ଗୁଜୁରାଟ ସରକାରଙ୍କ ନୂଆ ଟିମ; ଶପଥ ନେଲେ ୨୪ ମନ୍ତ୍ରୀ
livemint

ଗୁଜୁରାଟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଅଦଳବଦଳ । ଭୂପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରେ ନୂଆ କ୍ୟାବିନେଟର ହୋଇଛି ଶପଥ ଗ୍ରହଣ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଟିମରେ ମୋଟ ୨୪ ମନ୍ତ୍ରୀ ନେଇଛନ୍ତି ଶପଥ । ଏମାନଙ୍କ ମଧ୍ୟରୁ ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବାବେଳେ ବାକି ୧୪ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

ସେପଟେ ଶପଥ ଗ୍ରହଣର ଠିକ ପୂର୍ବରୁ ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ କିଛି ସମୟ ପରେ ସେ କ୍ୟାବିନେଟ ମନ୍ତ୍ରୀ ଭାବରେ ନେଇଛନ୍ତି ଶପଥ । ରାଜେନ୍ଦ୍ର ତ୍ରିବେଦୀଙ୍କ ସ୍ଥାନରେ ନିମା ଆଚାର୍ଯ୍ୟଙ୍କୁ କରାଯାଇଛି ବିଧାନସଭା ବାଚସ୍ପତି ।

ଗୁଜୁରାଟର ନୂଆ କ୍ୟାବିନେଟରେ କୌଣସି ପୁରୁଣା ଚେହେରାକୁ ସ୍ଥାନ ମିଳିନାହିଁ । କିଛି ଦିନ ପୂର୍ବରୁ ହିଁ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ପ୍ରଥମେ ବୁଧବାର କ୍ୟାବିନେଟ ବିସ୍ତାର ନେଇ ଖବର ସାମ୍ନାକୁ ଆସିଥିଲା । ହେଲେ ଅନେକ ମନ୍ତ୍ରୀଙ୍କ ଅସନ୍ତୋଷ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନୂଆ କ୍ୟାବିନେଟରେ ରହିବେ କି ନାହିଁ ଏନେଇ କୌଣସି ସୂଚନା ମିଳିପାରିନାହିଁ । ବିଭାଗର ଭାଗବଣ୍ଟା ପରେ ଏହା ଉପରୁ ପରଦା ଉଠିପାରିବ । ମୁଖ୍ୟମନ୍ତ୍ରୀ କରାଯାଇନଥିବା କାରଣରୁ ନିତିନ ପଟେଲ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

ଗୁଜୁରାଟ ସରକାରଙ୍କ ନୂଆ ଟିମ ଗଠନ ପରେ ଏବେ ମିଶନ ୨୦୨୨ ଉପରେ ନଜର ରହିବ । ଆଗାମୀ ବିଧାନସଭା ନିର୍ବାଚନରେ ଜାତି ଫ୍ୟାକ୍ଟର ବଡ ଭୂମିକା ଗ୍ରହଣ କରିବାକୁଯାଉଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ପଶାପାଲିରେ ପଟିଦାରଙ୍କୁ ଗୁରୁତ୍ବ ଦେଉଛି ବିଜେପି ।