୪ ଦିନ ଯାଏଁ ପ୍ରବଳ ବର୍ଷା!

୪ ଦିନ ଯାଏଁ ପ୍ରବଳ ବର୍ଷା!

ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଏକ ୱେଲ ମାର୍କଡ୍‍ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ପୂର୍ବ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବ। ପରେ ଏହା ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରି ୧୨ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପ ପ୍ରଭାବରେ ରବିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ପର୍ଯ୍ୟନ୍ତ ରାଜ୍ୟର ମାଲକାନଗିରି, ଗଜପତି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ବରଗଡ଼, ସୁନ୍ଦରଗଡ଼, ଜଗତସିଂହପୁର, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡି ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେହିପରି ଆସନ୍ତା ୧୨ ତାରିଖରେ ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା . ପୁରୀ , ଜଗତସିଂହପୁର ମାଲକାନଗିରିଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୩ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, ରାୟଗଡ଼ା . ପୁରୀ ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହିସବୁ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କନ୍ଧମାଳ,ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।