ଖୁସି ଖବର: ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି ଲୋଡ଼ିଲା ଫାଇଜର୍‌...

ଖୁସି ଖବର: ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି ଲୋଡ଼ିଲା ଫାଇଜର୍‌...

କରୋନା ଟିକାକୁ ସାରା ବିଶ୍ୱ ଚାତକ ପରି ଚାହିଁ ରହିଛି । ଭାରତୀୟମାନେ ମଧ୍ୟ ପ୍ରତିଦିନ ଟିକା ବିଷୟରେ ସକରାତ୍ମକ ଖବର ମିଳୁଥିବାରୁ ଆଶ୍ୱସ୍ତ ହେଉଛନ୍ତି । ତେବେ ଏସବୁ ଭିତରେ ଭାରତ ପାଇଁ ସଞ୍ଜୀବନୀ ସାଜିପାରେ ଫାଇଜର୍‌ କମ୍ପାନୀର କରୋନା ଟିକା । ମିଳିଥିବା ସୂଚନା ଅନୁସାରେ, କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି ମାଗିସାରିଛି ଫାଇଜର୍‌ କମ୍ପାନୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍‌ ଓ ବାହାରିନ୍‌ ସରକାର ସେମାନଙ୍କ ଦେଶରେ ଜରୁରୀ ଟିକାକରଣ ପାଇଁ ଫାଇଜର୍‌କୁ ଅନୁମତି ପ୍ରଦାନ କରିସାରିଛନ୍ତି । ଫାଇଜର୍‌ ଓ ଏହାର ଜର୍ମାନ ବାୟୋଟେକ୍ନୋଲୋଜି ପାର୍ଟନର ‘ବାୟୋଏନ୍‌ଟେକ୍‌’ ଦ୍ୱାରା ମିଳିତ ଭାବରେ ବିକାଶ କରାଯାଇଥିବା ଟିକା କରୋନା ବିରୁଦ୍ଧରେ ୯୦%ରୁ ଅଧିକ ଫଳପ୍ରଦ ବୋଲି ଦାବି କରାଯାଉଛି । ଟିକା ଆମଦାନି କରି ଦେଶରେ ବଣ୍ଟନ କରିବାକୁ ଡିସେମ୍ୱର ୪ତାରିଖ ଦିନ ‘ଫାଇଜର୍‌ ଇଣ୍ଡିଆ’ ପକ୍ଷରୁ ଭାରତରେ ଜରୁରୀ ଟିକାକରଣ ପାଇଁ ଅନୁମତି ମଗାଯାଇଛି ବୋଲି ସୂଚନା ମିଳିଛି । ଏଥିସହିତ ‘ଫାଇଜର୍‌ ଇଣ୍ଡିଆ’ ପକ୍ଷରୁ ୨୦୧୯ ‘ନିଉ ଡ୍ରଗ୍‌ ଆଣ୍ଡ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ସ୍‌ ରୁଲ୍‌ସ୍‌’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଅନୁମତି ଲୋଡ଼ାଯାଇଛି ।