ପିପିଲି ନିର୍ବାଚନ; ଫୁଲ ସ୍ରୋତରେ ଭାସିଯିବ ଶଙ୍ଖ...

ପିପିଲି ନିର୍ବାଚନ; ଫୁଲ ସ୍ରୋତରେ ଭାସିଯିବ ଶଙ୍ଖ...
ପିପିଲି ନିର୍ବାଚନ; ଫୁଲ ସ୍ରୋତରେ ଭାସିଯିବ ଶଙ୍ଖ...

ଆଜି ପିପିଲିରେ ବହୁ ପ୍ରତୀକ୍ଷିତ ବିଧାୟକ ନିର୍ବାଚନ । ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ଏଥର ବେଶ୍‌ ରୋଚକପୂର୍ଣ୍ଣ ହେବ ଚଳିତ ନିର୍ବାଚନମୋଟାମୋଟି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ହେବ ଦ୍ୱିପାକ୍ଷିକ ଲଢେଇ । ଏପଟେ ରାଜନୀତିରେ ନୂଆକରି ପାଦ ଥାପିଥିବା ଟାଣୁଆ ଯୁବନେତା ରୁଦ୍ର ପ୍ରସାଦ ମହାରଥୀ ବିଜୁ ଜନତା ଦଳ ତରଫରୁ ରାଜନୈତିକ ରଣାଙ୍ଗନକୁ ଓହ୍ଲାଉଥିବା ବେଳେ ସେପଟେ ତାଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ୍‌ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଜଣେ ପୁରୁଖା ତଥା ଅଭିଜ୍ଞ ରାଜନେତା ହୋଇଥିବା ବେଳେ ରୁଦ୍ର ପ୍ରସାଦ ମହାରଥୀ ହେଉଛନ୍ତି ପିପିଲିର ନିସଙ୍କୋଚ ଅପ୍ରତିଦ୍ୱନ୍ଦୀ ନେତା ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ।

ରୁଦ୍ର ଏବଂ ଆଶ୍ରିତ (ଇଣ୍ଟରନେଟ ଫଟୋ)

ଗତ ନିର୍ବାଚନରେ ଅଳ୍ପ କେଇ ହଜାର ଭୋଟରେ ପରାଜୟ ଲାଭ କରିଥିବା ଶ୍ରୀ ପଟ୍ଟନାୟକ ଏଥର ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ ମତରେ ଗତ ୨୧ ବର୍ଷ ଧରି ବିଜୁ ଜନତା ଦଳ ଶାସନ କରି ଆସୁଥିଲେ ମଧ୍ୟ ପିପିଲିରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ । ଉଦାହରଣ ଭାବେ ପିପିଲି ର ଜେନାପୁର ପଞ୍ଚାୟତକୁ ନିଆଯାଇପାରେ । ଏହି ପଞ୍ଚାୟତରେ ଏବେବି କିଛି ଗ୍ରାମ ରହିଛି ଯେଉଁଠାରେ ପକ୍କା ସଡ଼କ ନଥିବାରୁ ଲୋକେ ଯାତାୟତ ନିମନ୍ତେ ହନ୍ତସନ୍ତ ହେବା ସାର ହେଉଛି । ସେହିଭଳି ଅନେକ ପଞ୍ଚାୟତରେ ବିଦ୍ୟୁତ୍‌ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ନିୟମିତ ହେଉ ନ ଥିବାରୁ ଜନ ଅସନ୍ତୋଷ ପ୍ରବଳ ମାତ୍ରାରେ ରହିଛି । ସେହିଭଳି ଅବସର ବିନୋଦନ ପାଇଁ ଯଥେଷ୍ଟ ସଂଖ୍ୟାରେ ପାର୍କ ମଧ୍ୟ ନାହିଁ । ଗରିବ ମାନଙ୍କୁ କେନ୍ଦ୍ରୀୟ ଯୋଜନାରେ ଆବାସ ବଣ୍ଟନ କରିବାରେ ମଧ୍ୟ ଶାସକ ଦଳ ଟାଳଟୁଳ ନୀତି ଅବଲମ୍ୱନ କରିଥିବାରୁ ଏଥର ପରିବର୍ତ୍ତନ ସୁନିଶ୍ଚିତ । ଏହାଛଡ଼ା ପିତା ବିଗତ ୩୫ ବର୍ଷ ଧରି ପିପିଲି ରେ ନିରଙ୍କୁଶ ଶାସନ କରିଆସୁଥିଲେ ମଧ୍ୟ ଏମିତି କି ଅଧୁରା ସ୍ୱପ୍ନ ରହିଛି ଯେ ତାଙ୍କର ପୁତ୍ର ଶ୍ରୀ ରୁଦ୍ର ପ୍ରାସଦ ମହାରଥୀ ଶାସନ ଗାଦିରେ ବସିଲେ ମାତ୍ର ଅଢେଇ ବର୍ଷରେ ସ୍ୱଚ୍ଛ ଶାସନ ଜରିଆରେ ସେଗୁଡ଼ିକ ପୂରଣ କରିବାରେ ସମର୍ଥ ହେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ । ଏଭଳି ଭିତ୍ତିହୀନ ତଥା ହାସ୍ୟାସ୍ପଦ ନିର୍ବାଚନୀ ପ୍ରଚାର କେବଳ ରାଜନୈତିକ ଧୂଆଁବାଣ ଏବଂ ଏଥିରେ ବିଜୁ ଜନତା ଦଳ ଆଦୌ ସଫଳ ହେବ ନାହିଁ ବରଂ ମା’ ଲକ୍ଷ୍ମୀ ଆଜି ଗୁରୁବାରରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ପଦ୍ମ ଫୁଲ ଉପରେ ବିରାଜମାନ କରି ଜୟଯାତ୍ରା ପଥରେ ଅଗ୍ରସର ହେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବିଗତ ସପ୍ତାହ ସପ୍ତାହ ଧରି ପିପିଲି ରେ ବିଭିନ୍ନ ରାଜନୈତିକ ଶୋଭାଯାତ୍ରାମାନ ଆୟୋଜିତ ହୋଇ ଆସୁଥିବା ବେଳେ ପ୍ରବଳ ଜନ ସମର୍ଥନ ଦେଖି ଉତ୍ସାହିତ ହୋଇପଡ଼ିଛନ୍ତି ଭାରତୀୟ ଜନତା ପାର୍ଟିର କର୍ମୀମାନେ । ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ବିଜେପି ତରଫରୁ ଏଥର ଏହାର ଯୁବମୋର୍ଚ୍ଚାକୁ ବିଭିନ୍ନ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶାସକ ଦଳର କେଳେଙ୍କାରୀ, ଦୁର୍ନୀତି ଓ ପରିବାରବାଦ ପରି ବିଭିନ୍ନ ଦୁର୍ବଳ ଦିଗକୁ ତୃଣମୂଳ ସ୍ତରରୁ ଜନତାଙ୍କୁ ସୂଚିତ କରିବା ଥିଲା ଏହାର ପ୍ରମୁଖ କାର୍ଯ୍ୟ । ଏଥିସହ ଜାତୀୟତାବାଦୀ ଓ ହିନ୍ଦୁତ୍ୱବାଦୀ ରାଜନୀତିରେ ଜନ ସମର୍ଥନ ବୃଦ୍ଧି କରିବା ନିମିତ୍ତ ଦାୟିତ୍ୱ ନ୍ୟସ୍ତ ଥିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଉପରେ । ତେବେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଯୁବବର୍ଗଙ୍କ ଉପରେ ବିଶେଷ ଭାବରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ବୋଲି ଯୁବମୋର୍ଚ୍ଚାର ସକ୍ରିୟ କର୍ମୀ ହରପ୍ରସାଦ ଦଳେଇ ପ୍ରକାଶ କରିଛନ୍ତି । ସେହିଭଳି ଯୁବମୋର୍ଚ୍ଚାର ଲୋକପ୍ରିୟ ଯୁବନେତା ମିଥୁନ ଜେନା ଙ୍କ ମତରେ ସ୍ୱାଭିମାନ ରକ୍ଷାପାଇଁ ତଥା ପିପିଲି ର ସର୍ବାଙ୍ଗୀନ ଉନ୍ନତି ପାଇଁ ପିପିଲିବାସୀ ଏଥର ଆଶ୍ରିତ୍‌ ଭାଇଙ୍କୁ ଜିତାଇବା ଏକ ପ୍ରକାର ବଦ୍ଧପରିକର । ତେଣୁ ଫୁଲ ଏଥର ପିପିଲି ଦଖଲ କରିବାରେ କୌଣସି ବାଧା ରହିବ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ଶ୍ରୀ ପାତ୍ର । ବିଜେପି ର ନିର୍ବାଚନୀ ସ୍ଥିତି ସଂକ୍ରାନ୍ତରେ ଯୁବମୋର୍ଚ୍ଚାର ଜିଲ୍ଲା ପ୍ରମୁଖ ଆଇନ ପରାମର୍ଶଦାତା ଶ୍ରୀ ବିଶ୍ୱଭୂଷଣ ବାରିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଗତ କିଛିଦିନ ଧରି ନିୟମିତି ଭାବେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପୂର୍ବ ସଭାସମିତିମାନଙ୍କରେ ବିଜେପି ପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ଦେଖିଲେ ଏହା ନିର୍ବାଚନୀ ବିଜୟର ପୂର୍ବାଭାଷ ବୋଲି ମନେ କରାଯାଇପାରେ । 

                    

ବିଶ୍ୱଭୂଷଣ ବାରିକ , ହରପ୍ରସାଦ ଦଳେଇ, ମିଥୁନ ଜେନା

ବିଜୁ ଜନତା ଦଳ ଶାସନ ଗାଦିରେ ଥିବାରୁ ମଦ, ମାଶ୍ଚର୍ଯ୍ୟ, ଟଙ୍କା ଓ ଶାସନତନ୍ତ୍ରର ଦୁରୂପଯୋଗ କରି ସରଳ ନିରୀହ ଲୋକମାନଙ୍କୁ ଭ୍ରମିତ କରିବା ସ୍ୱାଭାବିକ । କିନ୍ତୁ ବିଜେପି ଯୁବମୋର୍ଚ୍ଚା ସାଙ୍ଗଠନିକ ସ୍ତରରେ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ଏଥର ଶାସକ ଦଳର ଏହି ଉଦ୍ୟମ ବ୍ୟର୍ଥ ଯିବ ବୋଲି ବୁବୁନ ଭାଇ ଓରଫ ଶ୍ରୀ ବିଶ୍ୱଭୂଷଣ ବାରିକ ଗଣମାଧ୍ୟମକୁ ଜଣାଇଛନ୍ତି । ଖାଲି ସେତିକି ନୁହେଁ ପିପିଲି ନିର୍ବାଚନରେ ଚଳିତଥର ଫୁଲ ସ୍ରୋତରେ ଶଙ୍ଖ ଭାସିଯିବ ବୋଲି ହାସ୍ୟାସ୍ପଦ ଶୈଳୀରେ ନିଜର ରାଜନୈତିକ ଅଭିମତ ସର୍ବସମ୍ମୁଖରେ ରଖିଛନ୍ତି ଶ୍ରୀ ବାରିକ । ତେବେ ସେ ଯାହା ହେଉ, ଆସନ୍ତା ୩ ତାରିଖ ଦିନ ଭୋଟ ଗଣତି କାର୍ଯ୍ୟକ୍ରମ ଥିବାରୁ କିଏ ପିପିଲି ଗାଦିରେ ବସିବ ତାହା ସେଦିନ ସ୍ପଷ୍ଟ ହୋଇଯିବ ଏବଂ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଓ ଏହାର ସଭାପତି ତଥା ପୁରୀ ଜିଲ୍ଲାର ଟାଣୁଆ ଜନପ୍ରିୟ ଯୁବନେତା ଜୟନ୍ତ ଦାଶ ଙ୍କର ପରିଶ୍ରମ କେତେଦୂର ସାର୍ଥକ ହୋଇଛି ଜଣାପଡ଼ିବ ।