ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା: ସାଙ୍ଗମାନଙ୍କ ଆକ୍ରମଣରେ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ଡିସିପି

ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା: ସାଙ୍ଗମାନଙ୍କ ଆକ୍ରମଣରେ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ଡିସିପି

ବହୁ ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଖୁଲାସା କରିଛନ୍ତି ଡିସିପି ଉମାଶଙ୍କର ଦାଶ । ମନୀଷଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଭୁବନେଶ୍ଵର ଡିସିପି ସ୍ପଷ୍ଟ କରିଛନ୍ତି ।

ଡିସିପି କହିଛନ୍ତି ଯେ, ୪ ସାଙ୍ଗ ସନ୍ଧ୍ୟା ୫ଟା ୩୦ରେ ପ୍ରଥମେ ଲକ୍ଷ୍ମୀସାଗର ଯାଇଥିଲେ । ଅମ୍ରିତ, ଦୀନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ମନୀଷ ମଧ୍ୟ ଯାଇଥିଲେ । ଭୋର ସମୟରେ ଲକ୍ଷ୍ମୀସାଗରରୁ ପାତ୍ରପଡ଼ା ହୋଟେଲ ଯାଇଥିଲେ । ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା । ମନୀଷଙ୍କୁ ହୋଟେଲ ଭିତରେ ଓ ବାହାରେ ଆକ୍ରମଣ କରାଯାଇଥିଲା । ଗଣ୍ଡୋଗଲ ସମୟରେ ମାଡ଼ ମରାଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମନୀଷଙ୍କ ମୃତଦେହକୁ ଅଭିଯୁକ୍ତମାନେ ପୋଖରୀରେ ଫୋପାଡ଼ି ଦେଇଥିଲେ । ହୋଟେଲ ପାଖରେ ପୋଖରୀ ଥିବା ନେଇ ୩ ସାଙ୍ଗ ଜାଣିଥିଲେ । ହୋଟେଲଠାରୁ ପୋଖରୀ ଦୂରତ୍ବ ପ୍ରାୟ ୫୦୦ ମିଟର । ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇନି ବୋଲି ଡିସିପି କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳି ପାରିବ।ମନୀଷଙ୍କର ଭୁବନେଶ୍ବର ବନ୍ଧୁ ଥିଲେ ଅମ୍ରିତ । ଅମ୍ରିତଙ୍କ ଜରିଆରେ ଦୀନେଶ ଓ ମୃତ୍ୟୁଞ୍ଜୟଙ୍କୁ ଚିହ୍ନିଥିଲେ ମନୀଷ । ଦୀନେଶ ଓ ମୃତ୍ୟୁଞ୍ଜୟଙ୍କ ଘର କନ୍ଧମାଳ ଜିଲ୍ଲାରେ । ଡାକ୍ତରଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ବ୍ୟବହାର କରିଥିବା କାର୍ ପୂର୍ବରୁ ଜବତ ହୋଇଛି । ମାମଲାର ସମସ୍ତ ଦିଗ ପ୍ରତି ପୋଲିସ ନଜର ରଖିଛି । ସାଉଥ୍‌ ସିଟି ହୋଟେଲ୍ ସହ ପୋଲିସ ଅଧିକାରୀଙ୍କ ଲିଙ୍କ୍‌ର ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ତେବେ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ସବୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ବୋଲି କହିଛନ୍ତି ଡିସିପି।