କଂଗ୍ରେସ ଛାଡିଲେ ପ୍ରଦୀପ ମାଝି, ଦଳ ନିମ୍ନଗାମୀ ହେଉଛି କିଛି ବ୍ୟକ୍ତିଙ୍କ ପାଇଁ କହିଲେ

କଂଗ୍ରେସ ଛାଡିଲେ ପ୍ରଦୀପ ମାଝି, ଦଳ ନିମ୍ନଗାମୀ ହେଉଛି କିଛି ବ୍ୟକ୍ତିଙ୍କ ପାଇଁ କହିଲେ

କେବଳ ଦେଶରେ ନୁହେଁ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ। ଜଣକ ପରେ ଜଣେ ନେତା ଦଳ ଛାଡ଼ିବା ଚିନ୍ତାର ବିଷୟ। ତେବେ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମାଝି। ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ପତ୍ର ଲେଖି ଜଣାଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ଏହି ନିଷ୍ପତ୍ତି ନେଇଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହାସହ ସେ ଲେଖିଛନ୍ତି ପୂର୍ବରୁ କ୍ରିୟାଶୀଳ ନେତୃତ୍ୱ ଯୋଗୁଁ ଦଳର ସଂଗଠନ ଭଲରେ ପରିଚାଳିତ ହେଉଥିଲା। କିନ୍ତୁ କିଛି ଜିଦ୍‌ କରି ଅସହଯୋଗ କରୁଥିବା ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ଦଳ ନିମ୍ନଗାମୀ ହୋଇଛି। କଂଗ୍ରେସ ଦଳ ଏବେ ବିଶ୍ୱନୀୟତା ହରାଇଛି। ଦଳକୁ ପୁନରୁଦ୍ଧାର କରିବାକୁ ବହୁ ସମୟ ଲାଗିବ।

ଅନ୍ଯପଟେ, ପ୍ରଦୀପ ମାଝି କଂଗ୍ରେସ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ ଦଳ ଛାଡିବା ଦ୍ୱାରା କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି। କଂଗ୍ରେସ ତାଙ୍କୁ ପରିଚୟ ଦେଇଛି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି। ତେବେ ପ୍ରଦୀପ ମାଝି ବିଜେଡି ରେ ମିଶିବା ନେଇ ବହୁଦିନ ହେଲା ଚର୍ଚ୍ଚା ହେଉଥିଲା।