Tuesday, April 7, 2026
24.4 C
Odisha

    କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

    ଆଗକୁ ପଢନ୍ତୁ

    କୁଚିଣ୍ଡା/ଗୁଣ୍ଡୁରୁଚୂଆଁ : ସମ୍ବଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ ପାଲଟିଛି। ଏହି ଆସନ ହାତେଇବାକୁ ବିରୋଧୀ ମିଛ ପ୍ରତିଶ୍ରୁତିର ସାହାରା ନେଉଛନ୍ତି। କିନ୍ତୁ, ଆମେ ରାଜ୍ୟ ସରକାରଙ୍କ ବିକାଶ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ପହଞ୍ଚିବା। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଘରେଘରେ ପହଞ୍ଚାଇବା ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ। କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କେଶାଇବାହାଲରେ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବହୁସଂଖ୍ୟାରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଣବ ପ୍ରକାଶ କହିଥିଲେ, ମୁଖ୍ୟମନ୍ତ୍ରୀ ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ, ବିଜେଡି ଇସ୍ତାହାରରେ ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଯୋଜନା ରଖାଯାଇଛି। ଯୁବବର୍ଗଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ ବଜେଟ୍‌ ପ୍ରସ୍ତୁତ କଥା ହେଉକି ଓଡ଼ିଶାର ମହିଳାମାନଙ୍କୁ ୧୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ପ୍ରସଂଗ; ସମସ୍ତ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରି ଏକ ବିକଶିତ ଓଡ଼ିଶା ଗଠନ ପ୍ରତି ଦୃଷ୍ଟି ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା, ଗମନାଗମନ, ପରିବହନ ଏଭଳି ଅନେକ କିଛି ଯୋଜନା ଓ ପ୍ରକଳ୍ପର ସମ୍ଭାର ଭେଟିଦେବେ ନବୀନ ପଟ୍ଟନାୟକ। ସେହିଭଳି ବିଏସ୍‌କେୱାଇ କାର୍ଡ ଓଡ଼ିଶାବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ଦିଆଯାଉଛି।

    ଏସବୁ ଯୋଜନାକୁ ଆପଣମାନଙ୍କୁ ପ୍ରତିଟି ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପଡ଼ିବ। ଅପରପକ୍ଷେ ବିଜେପି ସରକାର ଯାହା କହନ୍ତି ତା’ର ଓଲଟା କରନ୍ତି। ଗତ ନିର୍ବାଚନରେ ୧୫ ଲକ୍ଷ ଟଙ୍କା ଦେବ‌ାକୁ କହିଥିଲେ। କୃଷିବୀମା କଥା କହିଥିଲେ, କିନ୍ତୁ କିଛିବି ମିଳୁନି। ତେଣୁ, ସମୟ ଆସିଛି ବର୍ତ୍ତମାନ ସେହି ନେତାଙ୍କୁ ଉଚିତ ଜବାବ ଦେବା ବୋଲି କହିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଜୁନ ୧୦ରେ ବିଜେପିର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରଦେଇ ପ୍ରଣବ ପ୍ରକାଶ କହିଥିଲେ, ମୁଖ୍ୟମନ୍ତ୍ରୀ କହିସାରିଛନ୍ତି, ଦଳର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ ବି କହିସାରିଛନ୍ତି, ଜୁନ ୯ ତାରିଖରେ ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବ ହେବ। ଆମେ ତାଙ୍କୁ ନିମନ୍ତ୍ରଣ କରିବୁ। କେଶେଇବାହାଲରେ କାର୍ଯ୍ୟକ୍ରମ ସାରିବା ପରେ ପ୍ରଣବ ପ୍ରକାଶ ପହଞ୍ଚିଥିଲେ କୁଚିଣ୍ଡା ବ୍ଲକ୍‌ କର୍ମକର୍ତ୍ତାଙ୍କ ସମ୍ମିଳନୀ କାର୍ଯ୍ୟକ୍ରମରେ। ବକ୍ସମା ଫୁଟ୍‌ବଲ୍‌ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ଜମନକିରା ବ୍ଲକ୍‌ର କର୍ମକର୍ତ୍ତାମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ। ଜମନକିରାସ୍ଥିତ ଗୁଣ୍ଡୁରୁଚୁଆଁଠାରେ ମଧ୍ୟ କର୍ମୀମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଣବ ପ୍ରକାଶ ଦାସଙ୍କ ସହିତ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ ଓ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତା ସଞ୍ଜିତ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ