ଇଂଲଣ୍ଡ ଟିମ୍‌କୁ ‘ଭୟାଳୁ’ କହିଲେ ସଚିନ

ଇଂଲଣ୍ଡ ଟିମ୍‌କୁ ‘ଭୟାଳୁ’ କହିଲେ ସଚିନ
ଇଂଲଣ୍ଡ ଟିମ୍‌କୁ ‘ଭୟାଳୁ’ କହିଲେ ସଚିନ

ନୂଆଦିଲ୍ଲୀ ୧୭/୦୮: ଲର୍ଡସ୍‌ ଟେଷ୍ଟରେ ଇଂଲଣ୍ଡ ୧୫୧ ରନ୍‌ରେ ହାରିବା ପରେ ଏବେ ଲଗାତାର ଜୋ ରୁଟ୍‌ ଏବଂ କମ୍ପାନୀ ଉପରେ ପ୍ରଶ୍ନ ଉଠୁଛି। ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଇଂଲଣ୍ଡ ଟିମ୍‌ର ରଣନୀତି ଏବଂ ଖରାପ ବ୍ୟାଟିଂ ପ୍ରଦର୍ଶନକୁ ନେଇ ପ୍ରଶ୍ନ କରିଛନ୍ତି । ଏପରିକି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ଭୟ କରୁଛନ୍ତି ବୋଲି କହିଛନ୍ତି ସଚିନ। ସଚିନଙ୍କ କହିବାନୁଯାୟୀ, ଏବେର ଇଂଲଣ୍ଡ ଟିମ୍‌ ଭାରତର ଅନ୍ତର୍ଜାତୀୟ ବୋଲରଙ୍କ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଏବଂ କେବଳ ଅଧିନାୟକ ଜୋ ରୁଟ ହିଁ ଶତକ ମାରିବାରେ ସକ୍ଷମ।

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ଦେଇଥିଲା । ଏଥିରେ ଜୋ ରୁଟ୍‌ ଚିନ୍ତାରେ ପଡ଼ିବା ସହ ଅନୁଭବ କରିପାରିଥିଲେ ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂକୁ ଟିମ୍‌ ଭୟ କରୁଛି । ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ସଚିନ କହିଛନ୍ତି, ‘ଟସ୍‌ ଜିତି ରୁଟ ଯେତେବେଳେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲେ ମୁଁ ମଧ୍ୟ ହଇରାଣରେ ପଡ଼ିଯାଇଥିଲି । ଭାରତୀୟ ବୋଲରଙ୍କ ପ୍ରତି ଇଂଲଣ୍ଡ ପ୍ଲେୟରଙ୍କ ଭୟ ଥିବା ଏହା ଏକ ସଙ୍କେତ ମଧ୍ୟ ଥିଲା। ସତ କହିବାକୁ ଗଲେ ଶୁକ୍ରବାର ସକାଳ ପାଖାପାଖି ୮ଟାରେ ମୋର ଜଣେ ବନ୍ଧୁଙ୍କୁ କହିଥିଲି ଯଦି ପାଗ ଭଲ ରହେ ତେବେ ଆମେ ଏହି ମ୍ୟାଚ ଜିତିବା ।’

 ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ନେଇ ସଚିନ କହିଛନ୍ତି, ଜୋ ରୁଟଙ୍କ ବ୍ୟତୀତ କୌଣସି ଖେଳାଳି ଶତକ ମାରିବା ପାଇଁ ସକ୍ଷମ ନୁହନ୍ତି। କୌଣସି ମ୍ୟାଚ୍‌ରେ ସେମାନେ ଭଲ କରିପାରନ୍ତି କିନ୍ତୁ ମୁଁ ନିୟମିତ ମ୍ୟାଚ୍‌ କଥା କହୁଛି ବୋଲି ସଚିନ କହିଛନ୍ତି। ଅତୀତରେ ଇଂଲଣ୍ଡ ଟିମ୍‌ରେ ମାଇକେଲ ଭନ୍‌, କେଭିନ ପିଟରସନ, ଏଲିଷ୍ଟର କୁକ୍‌, ଇଆନ୍‌ ବେଲ୍‌, ଜୋନାଥନ୍‌ ଟ୍ରଟ୍‌, ଆଣ୍ଡ୍ରୁ ଷ୍ଟ୍ରସ୍‌ ଭଳି ଖେଳାଳି ଥିଲେ ଯେଉଁମାନେ ଲଗାତାର ଭଲ ଖେଳୁଥିଲେ।   ଏହା ସହ ସେ କହିଛନ୍ତି, ମୋ​ତେ ଲାଗୁଛି କମଜୋର ବ୍ୟାଟ୍ସମ୍ୟାନ୍‌ ଯୋଗୁଁ ରୁଟ୍‌ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇ ଥାଇପାରନ୍ତି ।