ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମା' ସମଲେଶ୍ୱରୀଙ୍କ ମନ୍ଦିର

ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମା' ସମଲେଶ୍ୱରୀଙ୍କ ମନ୍ଦିର

ଚଳିତ ବର୍ଷ ନୂଆଁଖାଇରେ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କ ପାଇଁ ଅପରାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ମା' ସମଲେଶ୍ୱରୀ ମନ୍ଦିର ଖୋଲା ରହିବ । ବୈଠକ ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ । ଏନେଇ ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ବର୍ଷ କୋଭିଡ କଟକଣା ଯୋଗୁଁ ନୂଆଁଖାଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ମା'ଙ୍କ ମନ୍ଦିର ବନ୍ଦ ରହିଥିଲା । ହେଲେ ନୂଆଁ ଖାଇବା ପରେ ସମଲେଶ୍ୱରୀଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି । ତେଣୁ ଏଥର ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ସେନେଇ ଦ୍ୱନ୍ଦ ରହିଥିଲା । ଶେଷରେ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ନୂଆଁଖାଇରେ ମନ୍ଦିର ଖୋଲିବ । 

କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବ । ସମସ୍ତ ଶ୍ରଦ୍ଧାଳୁ କୋଭିଡ କଟକଣା ମାନି ମା'ଙ୍କ ଦର୍ଶନ କରିବାକୁ ହେବ । ମନ୍ଦିରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେଇପାରିବେନି ଶ୍ରଦ୍ଧାଳୁ । ସେହିପରି ମନ୍ଦିର ଭିତରେ ଭିଡ ନକରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।