ଭାରତର ସଙ୍କଟ ମୋଚନ ସାଜିଲେ ସାମି

ଭାରତର ସଙ୍କଟ ମୋଚନ ସାଜିଲେ ସାମି
photo by indiatoday

ଟିମ୍ ଇଣ୍ଡିଆକୁ ସଙ୍କଟରୁ ଉଦ୍ଧାର କଲେ ସାମି । ଲର୍ଡସରେ ଭାରତର ଲଜ୍ଜା ବଞ୍ଚାଇଲେ ସାମି-ବୁମରା ଯୋଡି । ଲର୍ଡସ ଟେଷ୍ଟର ଅନ୍ତିମ ଦିନରେ ନାଟକୀୟ ମୋଡରେ ପହଞ୍ଚିଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ପଞ୍ଚମ ଦିନର ଖେଳ ଆରମ୍ଭରୁ ଭାରତ ଲଗାତାର ୨ଟି ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଦଳ ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଛନ୍ତି ସାମି-ବୁମରା ଯୋଡି । ଗୋଟିଏ ପଟେ ସାମି ଧୂଆଁଧାର ବ୍ୟାଟିଂ କରି ସ୍କୋରବୋର୍ଡରେ ଭାରତର ରନ ବଢାଉଥିବା ବେଳେ ଅନ୍ୟପଟେ ବୁମରା ଇଂଲଣ୍ଡର ଘାତକ ବୋଲିଂ ଲାଇନ ଅପକୁ ନିର୍ଭୟରେ ସାମ୍ନା କରୁଛନ୍ତି ।

ଆଜି ଦିନର ଖେଳ ଆରମ୍ଭରୁ ରିଷଭ ପନ୍ତ ଓ ଇଶାନ୍ତ ଶର୍ମାଙ୍କ ସହଳ ୱିକେଟ ନେଇ ଭାରତକୁ ଏକ ସଙ୍କଟଜନକ ସ୍ଥିତିରେ ଛିଡା କରିଥିଲା ଇଂଲଣ୍ଡ । ଦଳୀୟ ସ୍କୋର ୨୦୯ ହୋଇଥିବା ବେଳେ ୮ଟି ୱିକେଟ ହରାଇ ସାରିଥିଲା ଭାରତ । କିନ୍ତୁ ପରେ କ୍ରିଜକୁ ଆସିଥିବା ବୁମରା-ସାମିଙ୍କ ଯୋଡି ଦମ୍ଭ ହାରିନଥିଲେ । ୧୦ମ ୱିକେଟରେ ୭୭ ରନର ଭାଗିଦାରୀ ଭାରତକୁ ପରାଜୟ ମୁହଁରୁ ଏକପ୍ରକାର ଟାଣି ଆଣିଛି । ଲଞ୍ଚ ବ୍ରେକ ସୁଦ୍ଧା ଦଳ ୨୫୯ ରନରେ ଅଗ୍ରଣୀ ଥିବା ବେଳେ ବୁମରା-ସାମି ଯୋଡି ବ୍ୟାଟିଂ ଜାରି ରଖିଛନ୍ତି ।

ସାମି ଲର୍ଡସରେ କେବଳ ଭାରତର ପରାଜୟ ବଞ୍ଚାଇ ନାହାନ୍ତି ବରଂ ଟେଷ୍ଟ କ୍ୟାରିୟରରେ ନିଜର ବ୍ୟକ୍ତିଗତ ସର୍ବାଧିକ ସ୍କୋର ମଧ୍ୟ କରିଛନ୍ତି । ୫୨ ରନ କରି ସାମି ବ୍ୟାଟିଂ କରୁଥିବା ବେଳେ ୫ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଛନ୍ତି । ସେହିଭଳି ବୁମରା ମଧ୍ୟ ୩୦ ରନର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି ।