୬୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ, ଏନଏସସିରେ ମିଶିଛି ୭ଟି ପଞ୍ଚାୟତ

୬୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ, ଏନଏସସିରେ ମିଶିଛି ୭ଟି ପଞ୍ଚାୟତ

ଏଥର ୬୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ।୨୦୧୭ରେ ୬୮୦୧ ଗ୍ରାମ ପଞ୍ଚାୟତରେ ହୋଇଥିଲା ନିର୍ବାଚନ। ଏଥର ୭ଟି ଗ୍ରାମ ପଞ୍ଚାୟତ ଏନଏସସିରେ ମିଶି ଯାଇଛି। ସେଥି ପାଇଁ ଏଥର ୭ଟି ପଞ୍ଚାୟତ ବାଦ ପଡ଼ିଛି। ଏସବୁ ପଞ୍ଚାୟତଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡଗାଁର ୨ଟି ଗ୍ରାମ ପଞ୍ଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ। ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ ନାହିଁ । ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଥର ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯ହଜାର ୪୬୯ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨୦୩୧ଟି ୱାର୍ଡ ସଂରକ୍ଷିତ ରହିଥିବା ବେଳେ ସରପଞ୍ଚ ପଦ ପାଇଁ ୬୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ ସିଟ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେଥିରୁ ଓବିସି ବର୍ଗ ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି । ୬୭୯୩ ସମିତି ସଭ୍ୟ ପଦବୀରୁ ୩୫୩୮ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏଥିରେ ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି। ୨୦୨୨ ମାର୍ଚ୍ଚ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।