ଜେଫ୍‌ ବେଜୋସଙ୍କ ନାଁରେ ଅଭିଯୋଗ

ଜେଫ୍‌ ବେଜୋସଙ୍କ ନାଁରେ ଅଭିଯୋଗ

ବିଶ୍ବର ଦ୍ବିତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସଙ୍କ 'ବ୍ଲୁ ଅରିଜିନ୍' କମ୍ପାନୀ ୧୨ ଅକ୍ଟୋବରରେ ମହାକାଶରେ ଦ୍ବିତୀୟ ମାନବ ଉଡାଣ ଆରମ୍ଭ କରିବ। କିନ୍ତୁ ଏହା ପୂର୍ବରୁ କମ୍ପାନୀର ୨୧ ବରିଷ୍ଠ କର୍ମଚାରୀ ଜେଫ୍ ବେଜୋସ୍‌ଙ୍କ ଉପରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ। କର୍ମଚାରୀଙ୍କ କହିବା ଅନୁସାରେ, ବ୍ଲୁ ଅରିଜିନ୍‌ର ସ୍ଥିତି ଖୁବ୍ ଖରାପ। ବେଜୋସ୍ ସ୍ପେସ୍ ଏକ୍ସର ମାମଲିକ୍ ଏଲନ୍ ମସ୍କ ଓ ଭର୍ଜିନ୍ ଗାଲେଷ୍ଟିକ୍‌ର ଫାଉଣ୍ଡର ରିଚର୍ଡ ବ୍ରେନସନଙ୍କୁ ପଛରେ ଛାଡିବାର ଚେଷ୍ଟାରେ ଅଛନ୍ତି।

ଏହି କାରଣରୁ କର୍ମଚାରୀଙ୍କୁ ଛାଡି କେବଳ କମ୍ପାନୀକୁ ପ୍ରାଧାନ୍ୟ ଦିଆଯାଉଛି। ଏହାଦ୍ବାରା କର୍ମଚାରୀମାନେ ଚାପରେ କାମ କରିବାକୁ ବାଧ୍ୟ ହେଉଛନ୍ତି। କମ୍ପାନୀର ପୂର୍ବତନ ହେଡ୍ ଅଫ୍ ଏମ୍ପଲଇ କମ୍ୟୁନିକେସନ୍ ମୁଖ୍ୟ ଆଲେକ୍ସାଣ୍ଡ୍ରା ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ସେ କହିଛନ୍ତି, ସ୍ପେସ୍ କମ୍ପାନୀରେ ପୁରୁଷଙ୍କୁ ପ୍ରାଧାନ୍ୟ ଦିଆଯାଇଥାଏ। ସେଠାରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ମହିଳା କର୍ମଚାରୀଙ୍କୁ ପ୍ରତିଦିନ ଯୌନ ନିର୍ଯ୍ୟାତନା ଦିଆଯାଉଛି। ମହିଳାଙ୍କୁ 'ବେବି ଗର୍ଲ' ,ବେବି ଡଲ୍' କିମ୍ବା 'ସ୍ବିଟ୍ ହାର୍ଟ' କହି ଡକାଯାଉଛି। କମ୍ପାନୀର ବଡ ଅଧିକାରୀ ମହିଳା କର୍ମଚାରୀଙ୍କୁ ତାଙ୍କର ବ୍ୟକ୍ତିଗତ ସମୟ ବିଷୟରେ ମଧ୍ୟ ପଚାରିଥାନ୍ତି।

ଅନ୍ୟପକ୍ଷେ ବ୍ଲୁ ଅରିଜନର ମୁଖପାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଲେକ୍ସାଣ୍ଡ୍ରାଙ୍କୁ କମ୍ପାନୀରୁ ଦୁଇ ବର୍ଷ ପୂର୍ବେ ବାହାର କରାଯାଇ ସାରିଛି। ବ୍ଲୁ ଅରିଜନ୍‌ର କୌଣସି କର୍ମଚାରୀଙ୍କ ସହିତ ଭେଦଭାବ କିମ୍ବା ନିର୍ଯାତନା ଭଳି କୌଣସି ଘଟଣା ଘଟି ନାହିଁ। ଏସବୁରୁ ବଞ୍ଚିବା ପାଇଁ ଓ ଅଭିଯୋଗ କରିବା ପାଇଁ କମ୍ପାନୀର କର୍ମଚାରୀଙ୍କୁ ହଟଲାଇନ୍‌ ସୁବିଧା ଦିଆଯାଇଛି। ଏହା ୨୪ ଘଣ୍ଟା ଚାଲୁ ରହିଥାଏ। ଏହା ଉପରେ ଅଭିଯୋଗ ଆସିବା ମାତ୍ରେ କମ୍ପାନୀ ଆକ୍ସନ ନେଇଥାଏ।'