ଗୁରୁତର କରୋନା ସଂକ୍ରମିତଙ୍କୁ ଦିଆଯିବ ଟୋସଲିଜୁମାବ୍‌ ଇଂଜେକସନ୍‌, ଏସ୍‌ଓପି ଜାରି କଲେ ରାଜ୍ୟ ସରକାର...

ଗୁରୁତର କରୋନା ସଂକ୍ରମିତଙ୍କୁ ଦିଆଯିବ ଟୋସଲିଜୁମାବ୍‌ ଇଂଜେକସନ୍‌, ଏସ୍‌ଓପି ଜାରି କଲେ ରାଜ୍ୟ ସରକାର...

ରାଜ୍ୟରେ କରୋନା ଶଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ଥିବା ବେଳେ ଦିନକୁ ଦିନ ଏହା ଆହୁରି ସାଙ୍ଘାତିକ ରୂପ ନେବାରେ ଲାଗିଛି । ଦିନକୁ ଦିନ କରୋନା ସଂକ୍ରମିତ ଓ ତତ୍‌ଜନିତ ମୃତ୍ୟୁ ସଂଖ୍ୟା ନୂଆ ରେକର୍ଡ ଭାଙ୍ଗୁଥିବା ବେଳେ ଚିନ୍ତା ବଢାଉଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପୂର୍ବ ଆକଳନ । ଏକ ଅଫିସିଆଲ ପରିସଂଖ୍ୟନ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚଳିତ ମାସରେ ଢେର ବଢିଯାଇ ଶୀର୍ଷରେ ପହଞ୍ଚିବ । ଏଣୁ, ସ୍ୱାଭାବିକ ଭାବେ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବ । ଏପରି ଜଟିଳ ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗୁରୁତର ତଥା ଭେଣ୍ଟିଲେଟରରେ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟୋସଲିଜୁମାବ୍‌ ଇଂଜେକସନ ଦିଆଯିବା ନିମନ୍ତେ ଏସ୍‌ଓପି ଜାରି କରିଛନ୍ତି । ଏହାଦ୍ୱାରା ମୃତ୍ୟୁ ସଂଖ୍ୟାରେ ବିରାମ ଲଗାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି ରାଜ୍ୟର ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଯେଉଁ କରୋନା ସଂକ୍ରମିତଙ୍କ ଶରୀରରେ ଅମ୍ଳଜାନ ସ୍ତର କମ୍‌ ଥିବ ସେ କ୍ଷେତ୍ରରେ ଏହି ଟୋସଲିଜୁମାବ୍‌ ଇଂଜେକସନ୍‌ ପ୍ରୟୋଗ କରାଗଲେ ସୁଫଳ ମିଳିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଦେଶରେ ଏହି ଇଂଜେକସନ୍‌ ବ୍ୟବହାର ପାଇଁ DCGI ଅନୁମତି ମିଳିସାରିଛି । ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ଟୋସଲିଜୁମାବ୍‌ ଇଂଜେକସନ୍‌ ପ୍ରୟୋଗ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।