‘ଚା, ପାନ, ଗରମପାଣି ଓ ଭାଙ୍ଗ ଖାଇଲେ କରୋନା ହେବନି’, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି ଖବରର ବାସ୍ତବତା ଜାଣିବା ପାଇଁ ପଢନ୍ତୁ...

‘ଚା, ପାନ, ଗରମପାଣି ଓ ଭାଙ୍ଗ ଖାଇଲେ କରୋନା ହେବନି’, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି ଖବରର ବାସ୍ତବତା ଜାଣିବା ପାଇଁ ପଢନ୍ତୁ...

କରୋନା ପାଇଁ ଦେଶରେ ସ୍ୱାସ୍ଥ୍ୟ ସଂକଟ ଜଟିଳ ରୂପ ଧାରଣ କଲାଣି । ପ୍ରତିଦିନ ନୂଆ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌ । ଚାରିଆଡ଼େ ଭୟର ବାତାବରଣ । ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ଦେଶର ଅନେକ ସ୍ଥାନରେ ଲାଗୁ କରାଯାଇଛି ଲକଡାଉନ ଓ ସଟଡାଉନ ଭଳି କଟକଣା । କରୋନା ସଂକ୍ରମଣ ରୋକିବାକୁ ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମୟ ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉପାଦେୟ ପରାମର୍ଶମାନ ଦିଆଯାଇ ସଚେତନ କରାଯାଉଛି । ତେବେ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ଅସାଧୁ, ଅସାମାଜିକ ତଥା ଅବିବେକୀ ବ୍ୟକ୍ତିବିଶେଷ ନିରୀହ ଜନତାଙ୍କୁ ଭ୍ରମିତ କଲାଭଳି କରୋନା ସଂକ୍ରମିତ ଖବରମାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ସେଥିରୁ ଅଯାଚିତ, ଅଲୋଡା ଆନନ୍ଦ ଲାଭ କରି ନିଜର ନକରାତ୍ମକ ମାନସିକତା ର ଲାଳସାକୁ ଚରିତାର୍ଥ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେବଳ ସରକାରୀ ସଂସ୍ଥା ଦ୍ୱାରା ପ୍ରଦତ୍ତ କରୋନା ଖବରକୁ ବିଶ୍ୱାସ କରିବାକୁ ଦେଶବାସୀଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଗୁଜବରେ ବଶବର୍ତ୍ତୀ ହୋଇ ଭ୍ରମିତ ନ ହେବାକୁ ସୂଚନା ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଛି । ଏହି କ୍ରମରେ ଏଭଳି ଏକ ଗୁଜବ ଚାରିଆଡ଼େ ବ୍ୟାପିବାରେ ଲାଗିଛି ଯେ, ପାନ ଓ ଭାଙ୍ଗ ଖାଇଲେ ତଥା ଚା’ ଓ ଗରମପାଣି ପିଇଲେ କରୋନା ସଂକ୍ରମଣ ହେବ ନାହିଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ତଥା ଏନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଭଳି କଥାରେ ଆଦୌ ବିଶ୍ୱାସ ନକରି ନିଜର ତଥା ପରିବାରର ମଙ୍ଗଳ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗାଇଡଲାଇନ୍‌କୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଦେଶର ବରିଷ୍ଠ ଡାକ୍ତରମାନେ । ପାଠକବନ୍ଧୁ ! ଆବଶ୍ୟକସ୍ଥଳେ କରୋନା ସମ୍ୱନ୍ଧୀୟ କୌଣସି ସୂଚନା ପାଇଁ ଆଗ୍ରହୀ ଥିଲେ ସରକାରଙ୍କ ଦ୍ୱାରା ପ୍ରଦତ୍ତ କରୋନା ହେଲ୍ପଲାଇନ୍‌ର ସାହାଯ୍ୟ ନେଇପାରିବେ, ଯାହାଦ୍ୱାରା କରୋନା ସମ୍ୱନ୍ଧୀୟ ମୂଲ୍ୟବାନ୍‌ ପରାମର୍ଶ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ପାଇପାରିବେ ।