ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଡାକ୍ତର ଦେଲେ ଏଭଳି ପରାମର୍ଶ...

ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଡାକ୍ତର ଦେଲେ ଏଭଳି ପରାମର୍ଶ...

ସର୍ବଦା ଅରୁଚିକାର ଓ ନିର୍ଭୀକ ବିବୃତି ପାଇଁ ଦେଇ ସର୍ବଦା ବିବାଦ ଘେରରେ ରହି ଆସୁଥିବା ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ନିକଟରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଆନଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ଆଡ୍‌ମିଟ୍‌ କରାଯାଇଥିଲା । ଗତକାଲି ଆରୋଗ୍ୟ ଲାଭ କରି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଡାକ୍ତର ତାଙ୍କୁ କିଛି ଦିନ ପାଇଁ ବିଶ୍ରାମ କରିବାକୁ ଏପରିକି କମ୍‌ କଥା କହିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ରାଉତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କମ୍‌ କଥା କହିବା ସହିତ ଚିନ୍ତା ମୁକ୍ତ ଜୀବନଶୈଳୀ ବିତାଇବା ପାଇଁ ପରାମର୍ଶ ଦେଇଛନ୍ତି । ଡାକ୍ତର ଦେଇଥିବା ଏହି ପରାମର୍ଶକୁ ସେ ନିଶ୍ଚିତ ରୂପେ ଗ୍ରହଣ କରିବେ ବୋଲି କହିଛନ୍ତି ଶିବସେନାର ଏହି ରାଜ୍ୟସଭା ସାଂସଦ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ରାଉତଙ୍କର ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ କିଛି ସର୍ଜରୀ ହେବାର ଆବଶ୍ୟକତା ରହିଥିଲେ ମଧ୍ୟ ଏଗୁଡ଼ିକୁ କରୋନା ପାଇଁ ସ୍ଥଗିତ ରଖାଯାଇଛି । ତେବେ ଏସବୁ ଭିତରେ ସଞ୍ଜୟ ରାଉତ ସୋମବାର ଖବରକାଗଜ ‘ସାମ୍ନା’ ଅଫିସରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।