ବିଜେପିକୁ ଝଟକା ; ଦଳ ଛାଡିଲେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ବ ରଞ୍ଜନ

ବିଜେପିକୁ ଝଟକା ;  ଦଳ ଛାଡିଲେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ବ ରଞ୍ଜନ

ଯାଜପୁରରେ ବିଜେପିକୁ ଲାଗିଲା ବିଶ୍ବ ରଞ୍ଜନ ଝଟକା । ଦଳ ଛାଡିଲେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ବ ରଞ୍ଜନ ମଲ୍ଲିକ । ଏହା ସହ କିଛି ନେତା ଓ ସମର୍ଥକ ମଧ୍ୟ ଦଳ ଛାଡିଛନ୍ତି । ଆଜି ବିଶ୍ବ ରଞ୍ଜନ ଓ ଦଳ ଛାଡିଥିବା ଅନ୍ୟ ନେତା ମାନେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ।

ବିଶ୍ବ ରଞ୍ଜନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ମେଗା ରାଲି ଆୟୋଜନ କରି ପଦ୍ମ ଧରିଥିଲେ । ସେହି ମିଶ୍ରଣ ପର୍ବରେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହାସହ ୨୦୧୯ ସାଧାରଣ ନିର୍ବାଚନରେ ବିଶ୍ବ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ବରୀ ଆସନରୁ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ । ନିର୍ବାଚନରେ ପରାଜୟ ସତ୍ବେ ଦକ୍ଷତା ଓ ଲୋକପ୍ରିୟତା ଦେଖି ଦଳ ତାଙ୍କୁ ରାଜ୍ୟ କାର୍ଯ୍ୟକାରୀଣିରେ ସ୍ଥାନ ଦେଇଥିଲା । କିନ୍ତୁ ବିଶ୍ବ ଆଉ ବେଶି ଦିନ ପଦ୍ମ ଶିବିରରେ ରହିପାରିଲେ ନାହିଁ ।

ଗତ କିଛି ଦିନ ଧରି ଭୁବନେଶ୍ବରରୁ ଯାଜପୁର ପର୍ଯ୍ୟନ୍ତ ବିଶ୍ବ ରଞ୍ଜନଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ଯାହା ଆଜି ବାସ୍ତବ ରୂପ ନେଇଛି । ତେବେ ସେ ଖୁବ ଶୀଘ୍ର ତଥା ଆସନ୍ତା ସପ୍ତାହ ଶେଷ ବେଳକୁ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ବିଶ୍ବ ରଞ୍ଜନଙ୍କ ସହ ବରୀ ବ୍ଲକ ଅଧକ୍ଷା ସୁବାସିନୀ ଶର୍ମା, ଉପାଧକ୍ଷ ରମେଶ ଭଞ୍ଜ ଓ ୨୪  ନମ୍ବର ଜିଲା ପରିଷଦ ସଦସ୍ୟା ରଞ୍ଜିତା ସାମଲ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।