ନିଜ ପିତାମାତାଙ୍କ ନାମରେ ଥାନାରେ ଏତଲା ଦେଲେ ସାଉଥ ଷ୍ଟାର ବିଜୟ

ନିଜ ପିତାମାତାଙ୍କ ନାମରେ ଥାନାରେ ଏତଲା ଦେଲେ ସାଉଥ ଷ୍ଟାର ବିଜୟ
bollywoodlife

ଦକ୍ଷିଣ ସିନେ ଜଗତର ଅଭିନେତା ଜୋସେଫ ବିଜୟ ଚନ୍ଦ୍ରଶେଖର ପିତାମାତାଙ୍କ ନାମରେ ଥାନାରେ ଏତଲା । ତେବେ ଏହି ଏତଲା ଖୋଦ ବିଜୟ ଦେଇଛନ୍ତି । ବିଜୟଙ୍କ ପିତା ଏକ ନୂଆ ରାଜନୈତିକ ଦଳ ସୃଷ୍ଟି କରିଛନ୍ତି । ତେବେ ଅଭିନେତାଙ୍କ ନାମ ନେଇ କୌଣସି ରାଜନୈତିକ ବୈଠକ ଏବଂ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ବିଜୟ ତାଙ୍କ ପିତାମାତାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।

ଗତ ୧ ବର୍ଷ ପୂର୍ବରୁ ବିଜୟଙ୍କ ପିତା ତଥା ଭେଟେରାନ ନିର୍ଦ୍ଦେଶକ ଏସ.ଏ ଚନ୍ଦ୍ରଶେଖର ଏକ ରାଜନୈତିକ ଦଳ ସୃଷ୍ଟି କରିଥିଲେ । ଯାହାର ନାମ ରଖାଯାଇଥିଲା 'ଥଲାପଥି ବିଜୟ ମକ୍କଲ ଇୟାକ୍କମ' । ଏଥିରେ ଏସ.ଏ ଚନ୍ଦ୍ରଶେଖର ଜେନେରାଲ ସେକ୍ରେଟାରୀ ରହିଥିବା ବେଳେ ପତ୍ନୀ ଶୋଭା ଚନ୍ଦ୍ରଶେଖର ଟ୍ରେଜରର ବା କୋଷାଧ୍ୟକ୍ଷା ଅଛନ୍ତି । ପିତା ଏଭଳି ଏକ ଦଳ ସୃଷ୍ଟି କରିବା ପରେ ଏଥିରେ ବିଜୟଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ବିଜୟ ସୂଚନା ଦେଇଥିଲେ ।

ସେ ଆହୁରି କହିଥିଲେ ଯେ ପିତାଙ୍କ ଏହି ଦଳ ସହିତ ସେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ନୁହେଁ । ତେବେ ତାଙ୍କ ପିତା ହୋଇଥିବାରୁ ଏହି ଦଳକୁ ସମର୍ଥନ କରିବା କିମ୍ବା ଏଥିରେ ଯୋଗଦାନ କରିବାକୁ ସେ ନିଜ ପ୍ରଶଂସକଙ୍କୁ ମନା କରିଥିଲେ । ଯଦି ତାଙ୍କ ପିତାମାତା କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜୟଙ୍କ ନାମକୁ ବ୍ୟବହାର କରନ୍ତି କିମ୍ବା ତାଙ୍କ ଫଟୋ ଓ ଫ୍ୟାନକ୍ଲବର ବ୍ୟବହାର କରନ୍ତି, ତେବେ ସେ ଏହି ଦଳ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ ।

ତେବେ ଗତ ରବିବାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ତାଙ୍କ ପିତା ଲଗାତାର ଭାବରେ ବିଜୟଙ୍କୁ ନେଇ ଫାଇଦା ଉଠାଇବା କହିଥିଲେ । ତାଙ୍କ ନାମକୁ ରାଜନୀତିରେ ବ୍ୟବହାର କରୁଥିବାରୁ ସେ ଚେନ୍ନାଇର ୧୫ତମ ସିଟି ସିଭିଲ କୋର୍ଟରେ ପିତାମାତାଙ୍କ ସମେତ ଅନ୍ୟ ୧୧ ଜଣଙ୍କ ନାମରେ ଏତଲା ଦାଏର କରିଛନ୍ତି । ତାଙ୍କ ନାମକୁ ବ୍ୟବହାର କରି ବିଭିନ୍ନ ବୈଠକ ଓ କାର୍ଯ୍ୟକଳାପ ମଧ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲା ସମ୍ପର୍କରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।