ଭାରତୀୟ ଦଳକୁ ଅଡୁଆରେ ପକାଇଥିବା ହଂକଂର ଅଧିନାୟକ ଛାଡିଲେ ନିଜର ଦେଶ, ଏବେ ଓଡିଶା ପକ୍ଷରୁ ଖେଳିବେ

ଭାରତୀୟ ଦଳକୁ ଅଡୁଆରେ ପକାଇଥିବା ହଂକଂର ଅଧିନାୟକ ଛାଡିଲେ ନିଜର ଦେଶ, ଏବେ ଓଡିଶା ପକ୍ଷରୁ ଖେଳିବେ
ଭାରତୀୟ ଦଳକୁ ଅଡୁଆରେ ପକାଇଥିବା ହଂକଂର ଅଧିନାୟକ ଛାଡିଲେ ନିଜର ଦେଶ, ଏବେ ଓଡିଶା ପକ୍ଷରୁ ଖେଳିବେ

ନୂଆଦିଲ୍ଲୀ ୩୦।୦୮: ଏସିଆ କପ୍ ୨୦୧୮ର ଏମିତି ଏକ ମ୍ୟାଚ୍‌ ଯାହାକୁ ଭାରତୀୟ ପ୍ରଶଂସକଙ୍କ ଭଲ ଭାବେ  ମନେ ଥିବ। ଯେତେବେଳେ ହଂକଂ ପରି ଦଳ ଗ୍ରୁପ ମ୍ୟାଚ୍‌ରେ ଭାରତକୁ ପରାଜୟର ଦ୍ଵାର ଦେଶ ପର୍ଯ୍ୟନ୍ତ ନେଇ ଯାଇଥିଲେ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳର ଭାଗ୍ୟ ଭଲ ଥିଲା ଯେ, ହଂକଂର ନିମ୍ନକ୍ରମ ବ୍ୟାଟସମ୍ୟାନ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମୁକାବିଲା କରିପାରିନଥିଲେ ଏବଂ ଦଳ ଭାରତଠୁ ୨୬ ରନରେ ପରାସ୍ତ ହୋଇଥିଲା। କିନ୍ତୁ ଅଂଶୁରାମ ରଥଙ୍କ ନେତୃତ୍ଵାଧୀନ ହଂକଂ ଦଳ ଏହି  ମ୍ୟାଚ୍‌ରେ ୨୫୯ ରନ କରି ଅନେକ ଦଳ ମନରେ ଭୟ ସଞ୍ଚାର କରିଥିଲା। ଭାରତ ବିପକ୍ଷରେ ୭୩ ରନର ଇନିଂସ ଖେଳିଥିବା ଅଂଶୁମାନ ଭାରତୀୟ ଘରୋଇ ସିଜିନ୍‌ରେ ଖେଳୁଥିବା ନଜର ଆସିବେ।

 

ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ବର୍ଷ ଓଡିଶା ତରଫରୁ ରଣଜୀ କ୍ରିକେଟ୍‌ରେ ପଦାର୍ପଣ କରିବାକୁ ପ୍ରସ୍ତୁତି କରି ସାରିଛନ୍ତି। ଏଠାରେ କହି ରଖୁଛୁ ଯେ, ଅଂଶୁମାନ ଅନ୍ୟ କୌଣସି ଦେଶ କି ରାଜ୍ୟର ନୁହେଁ ବରଂ ସେ ଆମ ଓଡିଶାର ପୁଅ। ତାଙ୍କର ଜନ୍ମ ଏବଂ ଲାଳନ ପାଳନ ହଂକଂରେ ହୋଇଥିଲେ ମଧ୍ୟ ବାପା ମା ଓଡିଶାର। ତେଣୁ ସେ ଓଡିଶା ପକ୍ଷରୁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଂଶୁମାନ ହଂକଂ ତରଫରୁ ୧୮ଟି ଦିନିକିଆ ଓ ୨୦ଟି ଟି-୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ଵ କରିଛନ୍ତି।

କୁଲିଂ ଅଫ ପିରିୟଡ ପୂରା କରି ସାରିଛି

କ୍ରିକବଜ୍ ସହ ଆଲୋଚନା ବେଳେ ଏହି ଖେଳାଳି କହିଛନ୍ତି ଯେ, ମୁଁ ନିଜର କମ୍ଫର୍ଟ ଜୋନରୁ ବାହାରିବାକୁ ଚାହୁଁଥିଲି। ମୋତେ ଲାଗେ ଯେ, ମୁଁ ହଂକଂରେ  ବହୁତ କମ୍ଫର୍ଟ ଜୋନରେ ଥିଲି। ମୁଁ ବାସ୍ତବରେ ଏକ ଚ୍ୟାଲେଞ୍ଜିଂ ମାହୋଲରେ ଖେଳିବାକୁ ଚାହୁଁଥିଲି। ଆଉ ଏଥିପାଇଁ ସବୁଠୁ ସର୍ବୋତ୍କଷ୍ଠ ଜାଗା ହେଉଛି ଭାରତ। ୨୩ ବର୍ଷୀୟ ଏହି ଖେଳାଳି ୨୦୧୪ରେ ଦିନିକିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।