UNESCO ତାଲିକାରେ ଶ୍ରୀନଗର

UNESCO ତାଲିକାରେ ଶ୍ରୀନଗର

ୟୁନେସ୍କୋର ସୃଜନଶୀଳ ସହର ତାଲିକାରେ କେନ୍ଦ୍ରଶାସିତ ଜମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗର ସ୍ଥାନ ପାଇଛି। ଶ୍ରୀନଗରକୁ ଏହି ମାନ୍ୟତା ପ୍ରଦାନ କରିବାରେ ଉଦ୍ୟମ କରିଥିବା ସମସ୍ତଙ୍କୁ ୟୁନେସ୍କୋର ନୂଆଦିଲ୍ଲୀରେ ଅବସ୍ଥାପିତ ନିର୍ଦ୍ଦେଶକ ଏରିକ ଫଲ୍ଟ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀନଗର ତାହାର କାରୁକାର୍ଯ୍ୟ ଏବଂ ଲୋକକଳା ପାଇଁ ୟୁନେସ୍କୋର ଏହି ମାନ୍ୟତା ପାଇପାରିଛି। ସୋମବାର ୟୁନେସ୍କୋ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ୟୁନେସ୍କୋ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟୱାର୍କ (UCCN)ରେ ୪୯ଟି ନୂଆ ସହର ସାମିଲ ହୋଇଛି । ସଂସ୍କୃତି ଏବଂ ସୃଜନଶୀଳତାକୁ ସେମାନଙ୍କ ବିକାଶର କେନ୍ଦ୍ରସ୍ଥଳରେ ରଖିବା ତଥା ଜ୍ଞାନ ଏବଂ ଉତ୍ତମ କାର୍ଯ୍ୟାଭ୍ୟାସରେ ଅନ୍ୟଙ୍କୁ ସହଭାଗୀ କରିବା ନିମନ୍ତେ ଏହି ସହରଗୁଡିକର ପ୍ରତିବଦ୍ଧତାକୁ ସ୍ୱୀକୃତି ଜଣାଇ ଏହି ମାନ୍ୟତା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ କହିଛନ୍ତି ଯେ, ଶ୍ରୀନଗରର ସୁସଂହତ ସାଂସ୍କୃତିକ ଐତିହ୍ୟ ପ୍ରତି ଯଥୋଚିତ ସ୍ୱୀକୃତି । ଏଥିସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜମ୍ମୁ କାଶ୍ମୀର ଜନସାଧାରଣଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।