ସୁଦାନ ପ୍ରଧାନମନ୍ତ୍ରୀ ଅବଦୁଲା ହମଦୋକ ଗୃହବନ୍ଦୀ

ସୁଦାନ ପ୍ରଧାନମନ୍ତ୍ରୀ ଅବଦୁଲା ହମଦୋକ ଗୃହବନ୍ଦୀ

ସୁଦାନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେନାବାହିନୀର ଚେଷ୍ଟା। ଦେଶର ପ୍ରଧାନମନ୍ତ୍ରୀ ଅବଦୁଲା ହମଦୋକଙ୍କୁ ସେନା ଗୃହବନ୍ଦୀ କରି ରଖିଛି। ଦେଶର ନେତୃତ୍ବ ନେଉଥିବା ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସେନା ନିଜର କଷ୍ଟଡିରେ ନେଇଛି। ଏହାକୁ ସେନାରଙ୍କୁ କ୍ଷମତା ଦଖଲ ବୋଲି କୁହାଯାଉଛି। ସୁଦାନର ସୂଚନା ମନ୍ତ୍ରଣାଳୟ କହିଛି ଯେ, ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଏବେ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି।

ହର୍ନ ଅଫ୍ ଆଫ୍ରିକାରେ ଆମେରିକାର ସ୍ବତନ୍ତ୍ର ଦୂତ ଜେଫରି ଫିଲ୍ଟମ୍ୟାନ୍ କହିଛନ୍ତି, ସେନା ଦଖଲର ଖବର ପରେ ଆମେରିକା ଖବ୍ ଚିନ୍ତିତ। ହର୍ନ ଅଫ୍ ଆଫ୍ରିକାରେ ଜିବୁତି, ଇରିଟ୍ରିୟା,ଇଥୋପିଆ ଓ ସୋମାଲିଆ ରହିଛନ୍ତି। ୟୁରୋପୀୟ ସଂଘର ବୈଦେଶିକ ମାମଲାର ମୁଖ୍ୟ ଜୋଶେଫ୍ ବୋରେଲ୍ ସୋମବାର ଟ୍ବିଟ୍ କରି କହିଛନ୍ତି, ସୁଦାନରେ ସେନା ସୋମବାର ଭୋରରୁ ହିଁ ପ୍ରଧାନମନ୍ତ୍ରୀ ହାମଡୋକଙ୍କୁ ଗୃହବନ୍ଦୀ କରିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦେଶର ଶିଳ୍ପ ମନ୍ତ୍ରୀ ଇବ୍ରାହିମ ଅଲ ଶେଖ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ହାମଜା ବାଲଉଲ ଓ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଫୈଜଲ ମହମ୍ମଦ ସାଲେହଙ୍କୁ ମଧ୍ୟ ସେନା ପକ୍ଷରୁ ଗିରଫ କରାଯାଇଛି। ସୁଦାନର କ୍ଷମତାସୀନ ସୋଭେରଜିନ ପରିଷଦର ମୁଖପାତ୍ର ମହମ୍ମଦ ଅଲ ଫିକୀ ସୁଲିମାନ ଓ ରାଜଧାନୀ ଖାରତୋଉମର ରାଜ୍ୟପାଳ ଆର୍ଯ୍ୟମାନ ଖାଲିଦ ମଧ୍ୟ ସେନା ଦ୍ୱାରା ଗିରଫ ହୋଇଛନ୍ତି। ସୁଦାନର ସରକାରୀ ଅଧିକାରୀମାନେ ନିଜ ନାଁକୁ ଗୋପନ ରଖି ଗିରଫଦାରୀକୁ ସ୍ୱୀକାର କରିଛନ୍ତି।

ଉଲ୍ଲେଖନୀୟ ଯେ, ସୁଦାନର ରାଷ୍ଟ୍ରପତି ପଦରୁ ଓମାର ଅଲ ବଶରି ହଟିବା ପରେ ସରକାର ଓ ସେନା ମଧ୍ୟରେ କ୍ଷମତା ତିକ୍ତତା ଆରମ୍ଭ ହୋଇଥିଲା। ଗତମାସରେ ସେନା ପକ୍ଷରୁ ବଳପୂର୍ବକ କ୍ଷମତା ଦଖଲ ପାଇଁ ଉଦ୍ୟମ ହୋଇଥିଲା। ସେବେଠାରୁ ସରକାର ଓ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।ଲୋକମାନେ ମଧ୍ୟ ସେନାର ବଳପୂର୍ବକ କ୍ଷମତା ଦଖଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏସବୁ ଭିତରେ ସେନା ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିନେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ସୁଦାନର ରାଜଧାନୀ ଖାରତୋଉମରେ ଟେଲିଫୋନ ଯୋଗାଯୋଗୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।