ପାକିସ୍ତାନ ବିରୋଧୀ ରାଲି ଉପରେ ତାଲିବାନୀଙ୍କ ଗୁଳିବର୍ଷା

ପାକିସ୍ତାନ ବିରୋଧୀ ରାଲି ଉପରେ ତାଲିବାନୀଙ୍କ ଗୁଳିବର୍ଷା

କଥାକଥାରେ ଗର୍ଜି ଉଠୁଛି କୃର ତାଲିବାନୀ ଶାସକଙ୍କ ବନ୍ଧୁକ । କାବୁଲରେ ପାକିସ୍ତାନ ବିରୋଧୀ ରାଲି ଉପରେ ଗୁଳି ବର୍ଷା କରିଛନ୍ତି ତାଲିବାନୀ । ଭିଡକୁ ଏଡାଇବା ପାଇଁ ଆତଙ୍କୀ ଗୁଳି ଚଳାଇଥିଲେ । ମଙ୍ଗଳବାର କାବୁଲର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ହୋଇଛି । 

ସ୍ଥାନୀୟ ମିଡିଆ ଅନୁଯାୟୀ, କାବୁଲର ରାଷ୍ଟ୍ରପତି ଭବନ ସାମ୍ନାରେ ଗୁଳି ଚଳାଇଛନ୍ତି ତାଲିବାନ ଆତଙ୍କୀ । ଏଠାରେ ଅନେକ ସଂଖ୍ୟକ ପ୍ରଦର୍ଶନକାରୀ ପାକିସ୍ତାନ ବିରୋଧୀ ନାରା ଦେଇ ପଦଯାତ୍ରା କରୁଥିଲେ । ରାଷ୍ଟ୍ରପତି ଭବନ ନିକଟରେ କାବୁଲ ସେରେନା ହୋଟେଲରେ ଗତ କିଛି ଦିନରୁ ଡେରା ପକାଇଛନ୍ତି ପାକିସ୍ତାନ ଗୁଇନ୍ଦା ଏଜେନ୍ସି ମୁଖ୍ୟ ।

ପ୍ରଦର୍ଶନକୁ କଭର କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଫଗାନିସ୍ତାନରେ ଗତ ଦୁଇ ଦିନରୁ କ୍ରମାଗତ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆଫଗାନ ନାଗରିକ ପାକିସ୍ତାନ ପକ୍ଷରୁ ପଞ୍ଜଶୀରରରେ କରାଯାଇଥିବା ଡ୍ରୋନ ଆକ୍ରମଣକୁ ବିରୋଧ କରୁଛନ୍ତି ।

ପଞ୍ଜଶୀରରେ ପାକିସ୍ତାନ ବାୟୁସେନା ପକ୍ଷରୁ ନର୍ଦନ ଆଲାଏନ୍ସ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଥିରେ ତାଲିବାନକୁ ଲାଭ ପହଁଞ୍ଚିଛି । ଏହାକୁ ନେଇ ଆଫଗାନବାସୀ ପାକିସ୍ତାନକୁ ଜୋରଦାର ବିରୋଧ କରୁଛନ୍ତି । ନିକଟରେ କାବୁଲ ଓ ମଜାର ଏ ସରିଫରେ ପ୍ରଦର୍ଶନ ହୋଇଥିଲା, ଯେଉଁଥିରେ ଅନେକ ସଂଖ୍ୟକ ମହିଳା ସାମିଲ ହୋଇଥିଲେ ।