ଭାରତରେ ନିର୍ମାଣ ହେବନି ଟେସ୍‌ଲା

ଭାରତରେ ନିର୍ମାଣ ହେବନି ଟେସ୍‌ଲା

ଭାରତରେ ନିର୍ମାଣ ହେବନି ନିବେଶକ ଏଲନ୍‌ ମସ୍କଙ୍କ ଟେସ୍‌ଲା। କାରଣ ଭାରତ ସରକାର କମ୍ପାନୀ ସହ ରଖିଥିବା ସର୍ତ୍ତରେ ଅସନ୍ତୁଷ୍ଟ ଅଛନ୍ତି ମସ୍କ। ତେଣୁ ସେ ଭାରତୀୟ ବଜାର ଛାଡିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳେ ମସ୍କ ଏବେ ଅନ୍ୟ ବଜାର ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ଟେସ୍‌ଲା ପାଇଁ ଆମଦାନୀ ଶୁଳ୍କ ଛାଡ କରିବାକୁ ରାଜି ହୋଇନାହାନ୍ତି।

ମୋଦି ସରକାର ରଖଥିବା ସର୍ତ୍ତ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କୁ ଅସନ୍ତୁଷ୍ଟ କରିଛି। ଏଣୁ ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି। ଭାରତ ସରକାର ଦେଶରେ ଇଲେକ୍ଟ୍ରିକ କାର ନିର୍ମାଣ କରି ବିଦେଶ ରପ୍ତାନୀ ପାଇଁ ସବୁ ପ୍ରକାର ସୁବିଧା ଦେବାକୁ ରାଜି ଅଛନ୍ତି। ହେଲେ ମସ୍କଙ୍କ କମ୍ପାନୀ ଏହି ପ୍ରସ୍ତାବକୁ ସ୍ୱୀକାର କରୁନାହିଁ। ଅନ୍ୟପକ୍ଷରେ ଭାରତ ବଜାରକୁ ନଜରଅନ୍ଦାଜ କରି ଅନ୍ୟ ବଜାର ଉପରେ କମ୍ପାନୀ ଫୋକସ୍‌ କରୁଛି।

ଭାରତରେ ଟେସ୍‌ଲାର ସୁପର ଚାର୍ଜର ନେଟୱାର୍କ ଦାୟିତ୍ୱରେ ଅବସ୍ଥାପିତ ନିଶାନ୍ତ ପ୍ରସାଦଙ୍କ ଲିଙ୍କଡ୍‌ଇନ ପ୍ରୋଫାଇଲ ଇତିମଧ୍ୟରେ ବଦଳିଯାଇଛି। ଭାରତ ପରିବର୍ତ୍ତେ ତାଙ୍କୁ କମ୍ପାନୀ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଚାର୍ଜିଂ ଅପରେସନ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଟେସ୍‌ଲାର ଭାରତରେ ଅବସ୍ଥାପିତ ପ୍ରଥମ କର୍ମଚାରୀ ମନୋଜ ଖୁରାନାଙ୍କୁ କାଲିଫର୍ଣ୍ଣିଆରେ ଅବସ୍ଥାପିତ କରାଯାଇଛି। ଏଥିରୁ ମସ୍କ ଭାରତୀୟ ବଜାରରୁ ତାଙ୍କର ନଜର ହଟାଇଥିବା ସ୍ପଷ୍ଟ ହୋଇଯାଇଛି। ଭାରତରେ କାରବାର ପାଇଁ ଟେସ୍‌ଲା ଉପରେ ସରକାର ପ୍ରଥମେ ଆମଦାନୀ ଶୁଳ୍କ ହଟାନ୍ତୁ ବୋଲି ମସ୍କ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଏପରି ପ୍ରାଥମିକତା ଦିଆଯାଇପାରିବନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ମସ୍କ ଭାରତରେ ଟେସ୍‌ଲା ନିର୍ମାଣ ଲାଗି ଆଗ୍ରହୀ ବୋଲି ପ୍ରଥମରୁ କହିଆସୁଛନ୍ତି। ହେଲେ ଇଲେକ୍ଟ୍ରୋନିକ ଗାଡ଼ି ଉପରେ ଭାରତ ଦେଉଥିବା ଆମଦାନୀ ଶୁଳ୍କ ବିଶ୍ୱର କୌଣସି ଦେଶଠାରୁ ସବୁଠୁ ଅଧିକ ବୋଲି ସେ କହିଛନ୍ତି। ଭାରତରେ ଏବେ ୪୦ ହଜାର ଡଲାର ଅର୍ଥାତ ୩୦ ଲକ୍ଷ ଟଙ୍କାରୁ ଅଧିକ ମହଙ୍ଗା କାର ଲାଗି ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଉଛି। ଏଥିରେ ସିପିଂ ଖର୍ଚ୍ଚ ଓ ବୀମା ଆଦି ମଧ୍ୟ ସାମିଲ। ସେହିପରି ୪୦ ହଜାର ଡଲାରରୁ କମ ମୂଲ୍ୟର କାରରେ ୬୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେଉଥିବାରୁ ଆମେରିକାରେ ଶସ୍ତା ଲାଗୁଥିବା କାର ଭାରତରେ ଅନେକ ମହଙ୍ଗା ହୋଇଯାଉଛି। ମସ୍କଙ୍କ କହିବା କଥା ହେଲା ଭାରତରେ ଆମ ଉତ୍ପାଦ ଆଣିବା ଲାଗି ଆମକୁ ସରକାରଙ୍କ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ। ଏଥିରେ ଭାରତ ସରକାରଙ୍କ ଯୋଗୁ ଟେସ୍ଲା ଭାରତୀୟ ବଜାରରେ ଆସିପାରୁ ନ ଥିବା ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏକ ବୟାନରେ କହିଛନ୍ତି ଯେ ଯଦି ଭାରତରେ ନିର୍ମାଣ କରିବାକୁ ଚାହାନ୍ତି ତେବେ ଏଲନ ମସ୍କଙ୍କୁ ସ୍ୱାଗତ ବୋଲି କହିଛନ୍ତି। ଗଡକରୀ କହିଛନ୍ତି ଯେ ଭାରତ ଏକ ବଡ ବଜାର ଓ ଏଠାରୁ ରପ୍ତାନୀର ଅପାର ସୁଯୋଗ ରହିଛି। ଏଥିରୁ ତାଙ୍କୁ ଲାଭ ହେବ। କେବଳ ଭାରତ ସରକାର ନୁହନ୍ତି କେତେକ ରାଜ୍ୟ ମଧ୍ୟ ଟେସ୍‌ଲାଙ୍କୁ କାର ନିର୍ମାଣ ଲାଗି ଆମନ୍ତ୍ରଣ କରିଛନ୍ତି। ଗଡକରୀ ଗତ ଫେବୃଆରୀରେ ମଧ୍ୟ କହିଥିଲେ ଯେ ଯଦି ମସ୍କ ଭାରତ ରାସ୍ତାରେ ତାଙ୍କର କାର ଗଡୁ ବୋଲି ଚାହାନ୍ତି ତେବେ ଏଠାରେ ଆସି କାର ନିର୍ମାଣ କରନ୍ତୁ। କାରଣ କୌଣସି ଏକ ଗାଡ଼ି କମ୍ପାନୀ ଲାଗି ଦେଶ ତୁଷ୍ଟିକରଣ ନୀତି ଅବଲମ୍ବନ କରିପାରିନାହିଁ।