ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ ବାତିଲ

ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ ବାତିଲ

ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ ବାତିଲ ହୋଇଛି । କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହୋଇଛି । ଫଳରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଛି ।

ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଆଜି ମଞ୍ଚେଷ୍ଟର୍‌ରେ ଖେଳାଯାଇଥାନ୍ତା ୫ମ ତଥା ଚୂଡ଼ାନ୍ତ ଟେଷ୍ଟ୍‌ । ଭାରତୀୟ ଦଳର ସହକାରୀ 'ଫିଜିଓଥେରାପିଷ୍ଟ୍‌'ଯୋଗେଶ ପରମର ଗୁରୁବାର ଦିନ କରେନା ସଂକ୍ରମିତ ହୋଇଥିଲେ । ଏଥିପାଇଁ ଭାରତୀୟ ଦଳର ଗତକାଲି ଅଭ୍ୟାସ ଶିବିର ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା । ହେଲେ ବିସିସିଆଇ ଏବଂ ଇଂଲଣ୍ଡ୍‌ କ୍ରିକେଟ୍‌ ବୋର୍ଡ ମଧ୍ୟରେ ଗଭୀର ଆଲୋଚନା ‌ହୋଇଥିଲା। ତାପରେ ମ୍ୟାଚ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି ।

ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି । ନିତିନ ପଟେଲ ଭାରତୀୟ ଦଳର ମୁଖ୍ୟ ଫିଜିଓ ନିଯୁକ୍ତ ଅଛନ୍ତି । ପରମାର ତାଙ୍କୁ ସହାୟତା କରନ୍ତି । ନିତିନଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ସେ ମାଞ୍ଚେଷ୍ଟର ଆସିଥିଲେ ହେଁ ଏପର୍ଯ୍ୟନ୍ତ ଦଳ ସହ ଯୋଗ ନଦେଇ ହୋଟେଲ କକ୍ଷରେ ସଙ୍ଗରୋଧରେ ରହିଛନ୍ତି । ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳିଥିଲେ ।

ଦୀର୍ଘ ୮୫ ବର୍ଷ ହେଲା ଏହି ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ବିଜୟକୁ ଅପେକ୍ଷା କରିଥିଲା । ଶେଷ ଥର ପାଇଁ ଉଭୟ ଦଳ ୨୦୧୪ରେ ଏଠାରେ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ଇନିଂସ ବିଜୟ ହାସଲ କରିଥିଲା । ତେବେ ମ୍ୟାଚ୍ ବାତିଲ ହେବା ପରେ ଭାରତ ୨-୧ରେ ଟେଷ୍ଟ୍ ସିରିଜରେ ବିଜୟୀ ହୋଇଛି ।