ସମ୍ଭାବ୍ୟ ବାତ୍ୟା 'ସାହିନ୍' ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା 'ସାହିନ୍' ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ

ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ ସାରିଛି । ଏହି ଅବପାତ ଉତ୍ତରପୂର୍ବ ଆରବ ସାଗର ଓ ସଂଲଗ୍ନ କଚ୍ଚରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇ ଗୁଜରାଟ ଉପକୂଳ ମୁହାଁ ହେବ ।

ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ (କାଲି ସକାଳ ସାଢ଼େ ୫ଟା ସୁଦ୍ଧା) ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି କହିଛନ୍ତି ପାଣିପାଗ ବିଭାଗ । ବାତ୍ୟାର ନାଁ ରହିବ ସାହିନ । ଆସନ୍ତା ୨ତାରିଖରେ ବାତ୍ୟା ସିଭୟର ସାଇକ୍ଲୋନିକ ଷ୍ଟର୍ମ ବି ହୋଇପାରେ । ଏତିକିବେଳେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟ ଛୁଇଁପାରେ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗୁଜରାଟର ସୌରାଷ୍ଟ୍ର, କଚ୍ଚର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗୁଜରାଟ ଓ ଦକ୍ଷିଣ କୋଙ୍କଣର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଜି ସନ୍ଧ୍ୟାରୁ ଉତ୍ତର-ପୂର୍ବ ଆରବ ସାଗର ସମେତ ଗୁଜରାଟ ଓ ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୨ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପଗ ବିଭାଗ ।