ଅକ୍ଟୋବର ୧୭ରେ ନୂଆ IPL ଟିମ ନିଲାମ

ଅକ୍ଟୋବର ୧୭ରେ ନୂଆ IPL ଟିମ ନିଲାମ
business-standard

ବିଶ୍ବର ଶ୍ରେଷ୍ଠ ଓ ବିତ୍ତଶାଳୀ ଟି୨୦ ଲିଗ ଆଇପିଏଲର ସଂପ୍ରସାରଣ ପାଇଁ ଆଉ ପାଦେ ଆଗେଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ଆଉ ଦୁଇଟି ନୂଆ ଟିମ ସାମିଲ ହେବେ । ଅର୍ଥାତ୍‌ ୮ଟି ବଦଳରେ ୧୦ଟି ଟିମ ଆଇପିଏଲ ୨୦୨୨ରେ ନଜର ଆସିବେ । ଆଗାମୀ ଅକ୍ଟୋବର ୧୭ରେ ନୂଆ ଦୁଇଟି IPL ଟିମ ପାଇଁ ନିଲାମ ଅନୁଷ୍ଠିତ ହେବ । ଟିମ ପାଇଁ ବିଡିଂ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଥିବା ଆବେଦନକାରୀଙ୍କ ପାଇଁ ଶେଷ ତାରିଖ ସେପ୍ଟେମ୍ବର ୨୧ ରହିଛି ଓ ଅକ୍ଟୋବର ୫ ସୁଦ୍ଧା ଅଂଶଗ୍ରହଣକାରୀଙ୍କ ତାଲିକା ଚୂଡାନ୍ତ ହେବ ।

୨୦୨୨ ସଂସ୍କରଣରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ନୂଆ ଦୁଇଟି ଟିମର ମାଲିକାନା ଓ ପରିଚାଳନା ପାଇଁ ଅଗଷ୍ଟ ୩୧ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଗଭର୍ଣ୍ଣିଂ କାଉନସିଲ୍‌ ଟେଣ୍ଡର ପ୍ରକ୍ରିୟା ଦ୍ବାରା ବିଡ୍‌ସ ଘୋଷଣା କରିଥିଲା ।

ଏନେଇ BCCI ଏକ ଅଫିସିଆଲ ରିଲିଜରେ ଘୋଷଣା କରିଥିଲା । ଟେଣ୍ଡରରେ ଭାଗ ନେବାକୁ ଚାହୁଁଥିବା ଆବେଦନକାରୀ ୧୦ଲକ୍ଷ ଟଙ୍କା ମୂଲ୍ୟରେ ପଞ୍ଜୀକରଣ କରିପାରିବେ । ବୋର୍ଡ ପକ୍ଷରୁ ଘୋଷିତ ନିଲାମ ପ୍ରକ୍ରିୟାର ନିୟମାବଳି ଅନୁଯାୟୀ, ଏହି ଅର୍ଥରାଶି ଫେରସ୍ତ ହେବନାହିଁ । ଟେଣ୍ଡର ଆବେଦନ(ITT) ଅକ୍ଟୋବର ୫ ପର୍ଯ୍ୟନ୍ତ ଉପଲବ୍ଧ ହେବ । ITT କିଣିବାକୁ ଆଗ୍ରହୀ ଥିବା ପାର୍ଟି ଜରୁରୀ ତଥ୍ୟ ପାଇବାକୁ ittipl୨୦୨୧@bcci.tvକୁ ଇମେଲ ପଠାଇବେ । ITT ପାଇଁ ଅନୁରୋଧ କରାଯାଇଥିବା ଇମେଲର ସବଜେକ୍ଟ ସ୍ଥାନରେ ସ୍ପଷ୍ଟ ଭାବେ ପ୍ରସ୍ତାବିତ ନୂଆ ଦୁଇଟି ଆଇପିଏଲ ଭିତରୁ ଗୋଟିଏର ମାଲିକାନା ଓ ପରିଚାଳନା ଅଧିକାର ହାସଲ କରିବାକୁ ଚାହୁଁଥିବା ଉଲ୍ଲେଖ କରିବାକୁ ହେବ ।

ତେବେ ଏହାପରେ ସମସ୍ତ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁଥିବା ପାର୍ଟିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଚୟନ କରାଯିବ । କୌଣସି ବି ପରିସ୍ଥିତିରେ ଆବେଦନକାରୀ ପାର୍ଟି ଅଯୋଗ୍ୟ କିମ୍ବା ଅସମର୍ଥ ଅନୁଭବ ହେଲେ ବିନା କାରଣ ଦର୍ଶାଇ ଆବେଦନ ଖାରଜ କରିବାକୁ BCCI ନିକଟରେ ସମସ୍ତ ଅଧିକାର ରହିଛି ।