୨ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି

୨ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି

ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଆଜି ତାଙ୍କ ଦୁଇଦିନିଆ ପୁରୀ ଗସ୍ତର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖ ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ୨ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଂଚିବେ ।

୩ଟା ୪୦ରେ ମେ ଫେୟାରରେ ପହଂଚିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ମହାପ୍ରଭୁଙ୍କ ଦର୍ଶନ ସାରି ମେ ଫେୟାରରେ ରାତି ଯାପନ କରିବେ ।

ତା'ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ସେଠାରେ ସେ ପ୍ରାୟ ୧୫ ମିନିଟ୍ ଧରି ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ରହିବେ। ତା'ପରେ ସେ ଭୁବନେଶ୍ୱର ଯାଇ ଦିଲ୍ଲୀ ଫେରିଯିବେ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ । ଶ୍ରୀଚୈତନ୍ୟ ଗୌଡିୟ ମଠ, ଶ୍ରୀମନ୍ଦିର ଆଉ ଶରଧାବାଲିର ସଭାସ୍ଥଳକୁ ଟିକନିକ ଯାଂଚ କରିଛନ୍ତି ଆଇଜି ।ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ଆଇଜି ଆଜି ସମୀକ୍ଷା କରିଛନ୍ତି।