ମହାମାରୀ କରୋନା ସଂକ୍ରମଣରୁ ଶୀଘ୍ର ସୁସ୍ଥ ହେବା ପାଇଁ କ’ଣ କରିବା ଉଚିତ୍, ଜାଣିବା ପାଇଁ ପଢ଼ନ୍ତୁ...

ମହାମାରୀ କରୋନା ସଂକ୍ରମଣରୁ ଶୀଘ୍ର ସୁସ୍ଥ ହେବା ପାଇଁ କ’ଣ କରିବା ଉଚିତ୍, ଜାଣିବା ପାଇଁ ପଢ଼ନ୍ତୁ...

ପ୍ରାଣଘାତୀ କରୋନା ରୂପୀ ପିଶାଚର ଦୌରାତ୍ମ୍ୟରେ ସାରା ଭାରତବାସୀ ଏବେ ହନ୍ତସନ୍ତ । ଚାରିଆଡ଼େ ଆତଙ୍କ ଓ ଭୟର ବାତାବରଣ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଗୁରୁତର ସଂକ୍ରମିତମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କରୋନା ରୋଗୀ ସଂକ୍ରମିତ ହେବା ପରେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେ ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ । ଏ ନେଇ କେତେଗୁଡ଼ିଏ ଦିଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା, କରୋନା ସଂକ୍ରମିତ କ’ଣ କଲେ ଶୀଘ୍ର ସୁସ୍ଥ ହେବେ...

* କରୋନା ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । କରୋନା ରୋଗୀ ମୃଦୁ ପାନୀୟ ସେବନ କରିବାରୁ ନିବୃତ୍ତ ରହିବା ଶ୍ରେୟଷ୍କର, ନଚେତ୍‌ ଶରୀର ଫୁଲିଯିବାର ଆଶଙ୍କା ରହିଛି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ । ଏଣୁ, ମୃଦୁ ପାନୀୟଠାରୁ ଦୂରେଇ ରହିଲେ କରୋନା ରୋଗୀମାନେ ଶୀଘ୍ର ସୁସ୍ଥ ହୋଇପାରିବେ ।

* ସେହିପରି କରୋନା ସଂକ୍ରମିତମାନେ ତେଲ ଛଣା ତଥା ମାତ୍ରାଧିକ ମସଲାଯୁକ୍ତ ଖାଦ୍ୟ ସେବନଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ, କାରଣ ଏସବୁ ଖାଦ୍ୟରେ ଫ୍ୟାଟ୍‌ ରହିଥାଏ । ଏଥିସହିତ ଏହିସବୁ ଖାଦ୍ୟଗୁଡ଼ିକ ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର ମାତ୍ରା ବୃଦ୍ଧି ପାଇଥାଏ, ଯାହାଫଳରେ ଛାତି କାଟିବା ତଥା ହେଙ୍କା ଉଠିବା ଭଳି ଗୁରୁତର ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଯଦି ଆପଣ କରୋନା ସଂକ୍ରମିତ ହୋଇ ଶୀଘ୍ର ସୁସ୍ଥ ହେବାକୁ ଚାହୁଁଛନ୍ତି ତେବେ ତେଲ ଛଣା ତଥା ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

* ସେହିପରି କରୋନା ସଂକ୍ରମିତଙ୍କୁ ପ୍ରୋସେସଡ ତଥା ପ୍ୟାକେଟ୍‌ ଫୁଡ୍‌ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଛନ୍ତି । କାରଣ ଏସବୁ ଖାଦ୍ୟରେ ମାତ୍ରାଧିକ ସୋଡିୟମ ଥାଏ, ଯାହା ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଫଳରେ କରୋନା ରୋଗୀ ଆରୋଗ୍ୟ ଲାଭ କରିବାକୁ ଦୀର୍ଘ ସମୟ ନେଇଥାଏ ।

* ସେହିଭଳି କରୋନା ରୋଗୀମାନେ ମାଦକ ଦ୍ରବ୍ୟ ସେବନ କରିବା ଅନୁଚିତ୍‌, କାରଣ ଏହାଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ ନଷ୍ଟ ହୋଇଯାଏ ଏବଂ ରୋଗୀର ଅବସ୍ଥା କ୍ରମେ ଜଟିଳ ହୋଇ ମୃତ୍ୟୁମୁଖରେ ପଡ଼ିଥାଏ । ଏଣୁ, Speedy Recovery ପାଇଁ ମାଦକ ଦ୍ରବ୍ୟ ସେବନରୁ ନିଜକୁ ଦୂରେଇ ରଖନ୍ତୁ ।

* ସେହିଭଳି ବରିଷ୍ଠ ଡାକ୍ତରମାନଙ୍କ ମତରେ ଲେମ୍ୱୁପାଣି, କମଳାପାଣି ଓ ଖାଦ୍ୟରେ ରସୁଣ ବ୍ୟବହାର କଲେ କରୋନା ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ।