ଟୋକିଓ ପାରାଅଲମ୍ପିକ୍ସ; ବ୍ରୋଞ୍ଜ ପଦକ ଜିତିଲେ ମନୋଜ

ଟୋକିଓ ପାରାଅଲମ୍ପିକ୍ସ; ବ୍ରୋଞ୍ଜ ପଦକ ଜିତିଲେ ମନୋଜ

ଓଡ଼ିଆ ପୁଅ ପ୍ରମୋଦଙ୍କ ପରେ ଟୋକିଓରେ କମାଲ କଲେ ମନୋଜ ସରକାର। ଏସଏଲ ୩ ମୁକାବିଲାରେ ବ୍ରୋଞ୍ଜ ପଦକ ଜିତିଲେ ମନୋଜ ସରକାର। ସେ ଡାସୁକେ ଫୁଜିହରାଙ୍କୁ ୨୨-୨୦, ୨୧-୧୩ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଦଳ ୧୭ଟି ପଦକ ଜିତି ସାରିଲାଣି।

ସେହିପରି ମନୋଜଙ୍କ ପୂର୍ବରୁ ଟୋକିଓରେ ଚାଲିଥିବା ପାରାଅଲମ୍ପିକ୍ସ ୨୦୨୦ରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ କିମ୍ବା ପାରାଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ। ୩୩ ବର୍ଷିୟ ପ୍ରମୋଦ ଗୋଲ୍ଡ ମେଡାଲ ଜିତି ରଚିଛନ୍ତି ଇତିହାସ।

ଫାଇନାଲ ମୁକାବିଲାରେ ପ୍ରମୋଦ ଗ୍ରେଟ୍‌ ବ୍ରିଟେନ୍‌ ଖେଳାଳି ଡାନିଏଲ ବେଠଲଙ୍କୁ ୨-୦ରେ ହରାଇ ଇତିହାସ ରଚିଛନ୍ତି। ପ୍ରଥମ ସେଟରେ ୨୧-୧୪ ଓ ଦ୍ବିତୀୟ ସେଟରେ ୨୧-୧୭ରେ ଜିତି ସ୍ବର୍ଣ୍ଣ ଜିତିଛନ୍ତି ଓଡ଼ିଆ ପୁଅ। ପ୍ରଥମ ସେଟକୁ ସହଜରେ ଜିତିଥିବା ପ୍ରମୋଦ ଦ୍ବିତୀୟ ସେଟ୍‌ ଆରମ୍ଭରୁ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ପାରିନଥିଲେ। ତାଙ୍କ ଉପରେ ଗ୍ରେଟ୍‌ ବ୍ରିଟେନ୍‌ ଖେଳାଳି ଭାରି ପଡ଼ିଥିଲେ। ହେଲେ ପ୍ରମୋଦ କମବ୍ୟାକ୍‌ କରିଥିଲେ। ଆଉ ବାଜି ପଲଟାଇ ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେଟରେ ଡାନିଏଲଙ୍କୁ ୨୧-୧୭ରେ ହରାଇ ଇତିହାସ ରଚିଥିଲେ।

ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୭ଟି ମେଡାଲ ଜିତି ସାରିଛି। ଭାରତ ବର୍ତ୍ତମାନ ସୁଦ୍ଧା ୪ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତିଛି।