ଅମୃତ ଯୋଜନାରେ ଓଡିଶାକୁ ୫ ବର୍ଷରେ ମିଳିଛି ୮୮୫.୫୮ କୋଟି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଅମୃତ ଯୋଜନାରେ ଓଡିଶାକୁ ୫  ବର୍ଷରେ ମିଳିଛି ୮୮୫.୫୮ କୋଟି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଅମୃତ ଯୋଜନା ଅଧିନରେ ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି କେନ୍ଦ୍ର ସରକାର । ତେବେ ଗତ ୫ ବର୍ଷ ମଧ୍ୟରେ ଏହି ଯୋଜନା ଆଧାରରେ ଓଡିଶାକୁ ୮୮୫.୫୮ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଧର୍ମେନ୍ଦ୍ର ଟୁଇଟ  କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଅମୃତ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ ଓଡିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପାନୀୟ ଜଳ ଯୋଗାଣ, ସ୍ୱରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ପ୍ରଧାନ ଲେଖିଛନ୍ତି, ଅଟଳ ମିଶନ ଅମୃତ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ । ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ସରକାର ଦେଶର ୫୦୦ ସହରର କାୟାକଳ୍ପ ପାଇଁ ଏହି ଅମୃତ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ଅଟଳ ମିଶନ ଅଫ୍ ରେଜୁଭେସନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫୋର୍ମେସନ୍ । ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ୨୦୧୫ରେ କରିଥିଲେ ।