ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଘଟଣା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ, ରାଷ୍ଟ୍ରପତି ଶାସନ ପାଇଁ ଆବେଦନ

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଘଟଣା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ, ରାଷ୍ଟ୍ରପତି ଶାସନ ପାଇଁ ଆବେଦନ

ଗତ ଦୁଇ ତାରିଖରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଭୟଙ୍କର ହିଂସାକାଣ୍ଡ ଘଟଣାମାନ ଦେଶବାସୀଙ୍କୁ ଏକପ୍ରକାର ସ୍ତବ୍ଧ କରିଛି । ଘର ଜଳାପୋଡ଼ା, ମାର୍‌ଧର୍‌, ଗଣଦୁଷ୍କର୍ମ, ହତ୍ୟା ଭଳି ଶହ ଶହ ଲୋମଟାଙ୍କୁରା ଦୃଶ୍ୟଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ଏହାକୁ ନେଇ ସବୁଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ତେବେ ଏଥିରେ ବିରାମ ଲଗାଇବା ପାଇଁ ବିଜେପି  ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରି ହିଂସାକାଣ୍ଡ ଘଟଣାଗୁଡ଼ିକର ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଏତଦ୍‌ ବ୍ୟତୀତ ପଶ୍ଚିମବଙ୍ଗରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ଧ୍ୱଂସବିଧ୍ୱଂସ ହୋଇଯାଇଥିବାରୁ ଧନଜୀବନ ହାନିକୁ ରୋକାଯିବା ନିମନ୍ତେ ସମ୍ବିଧାନର ଧାରା ୩୫୬ ଅନୁସାରେ ସେଠାରେ ରାଷ୍ଟ୍ରପତି ଶାସନ ତତ୍‌କ୍ଷଣାତ୍‌ ଲାଗୁ କରାଯିବାକୁ ଏଥିରେ ଆବେଦନ କରାଯାଇଛି । ଏଥିସହିତ ଶ୍ରୀ ଭାଟିଆ ଏହି ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ତୃଣମୂଳ କଂଗ୍ରେସ ଦଳର ଅସାମାଜିକ ସଦସ୍ୟମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତ୍ତା ଓ ସେମାନଙ୍କର ପାରିବାରିକ ସଦସ୍ୟମାନଙ୍କୁ ଅମାନୁଷିକ ଆକ୍ରମଣ କରାଯାଇ ନୃଶଂସ ଭାବରେ ହତ୍ୟା କରାଯାଉଛି । ତେଣୁ ସୁପ୍ରିକୋର୍ଟ ତୁରନ୍ତ ହସ୍ତକ୍ଷେପ କରି ଏହିସବୁ ରାଜନୈତିକ ହିଂସାକାଣ୍ଡରେ ସଂପୃକ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୁଦ୍ଧରେ ଠୋସ୍‌ ପଦକ୍ଷେପ ନେବାକୁ ଏହି ଆବେଦନ ପତ୍ରରେ ଅନୁରୋଧ କରାଯାଇଛି ।