ମାଛ ଦାମ କୋଟି କୋଟି ଟଙ୍କା!

ମାଛ ଦାମ କୋଟି କୋଟି ଟଙ୍କା!

ଅନେକ ସମୟରେ ସମୁଦ୍ର ହେଉ କି ନଦୀରୁ ଅନେକ ବିରଳ ଓ ବଡ ମାଛ ମିକିଥାନ୍ତି। ଯାହାକୁ ଲକ୍ଷ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରୀ କରାଯାଏ। କିନ୍ତୁ ଦୁନିଆର ସବୁଠୁ ଦାମୀ ମାଛ ବିଷୟରେ ଜାଣନ୍ତି କି? ଏବଂ ତାହାର ମୂଲ୍ୟ କେତେ ହୋଇଥିବ ଅନୁମାନ କରୁଛନ୍ତି କେବେ? ଯଦି ନୁହେଁ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ମାଛ ବିଷୟରେ କହୁଛୁ। ନିକଟରେ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏହି ଦାମୀ ମାଛ। ଇଂଲଣ୍ଡର କର୍ଣ୍ଣୱାଲରେ ଦୁନିଆର ସବୁଠୁ ଦାମୀ ମାଛ ଆଟଲାଣ୍ଟିକ୍ ବ୍ଲୁଫିନ୍ ଟୁନାକୁ ଦେଖିବାକୁ ମିଳିଛି। ଏହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ ମାଛ ହେବାର ଆଖ୍ୟା ମିଳିଛି। ଏହି ମାଛ ବିଲୁପ୍ତ ପ୍ରାୟ ହୋଇ ଗଲାଣି। ଏହି କାରଣରୁ ବ୍ରିଟେନରେ ଏହାକୁ ଶିକାର କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଯଦି ଏହାକୁ କେହି ଧରନ୍ତି ତେବେ ତାଙ୍କୁ ଜେଲ ଦଣ୍ଡ ସହିତ ଜୋରିମାନା ମଧ୍ୟ ଦେବାକୁ ପଡିବ। ଯଦି ଭୁଲରେ ବି କେହି ଏହାକୁ ଧରିନ୍ତି, ତେବେ ତାହାକୁ ତୁରନ୍ତ ସମୁଦ୍ରରେ ଛାଡି ଦେବାକୁ ନିର୍ଦ୍ଦେଶ ରହିଛି।ଏହି ମାଛ ଟୁନା ପ୍ରଜାତିର ସବୁଠାରୁ ବୃହତ୍ତମ ମାଛ। ଏମାନଙ୍କର ଗତି ବହୁତ ଦ୍ରୁତ । ଏହି ମାଛର ଆକୃତି ଏକ ବୁଡ଼ାଜାହାଜରୁ ବାହାରୁଥିବା ଟର୍ପେଡୋ ଅସ୍ତ୍ର ପରି। ସେମାନଙ୍କ ଆକାର ଓ ସ୍ଵତନ୍ତ୍ର ଶାରିରୀକ ଗଠନ ହେତୁ ଏମାନେ ଅତି କ୍ଷୀପ୍ର ବେଗରେ ସମୁଦ୍ରରେ ଦୀର୍ଘ ଦୂରତା ଅତିକ୍ରମ କରିପାରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ମାଛର ଲମ୍ବ ୩ ମିଟର ଏବଂ ଏହାର ଓଜନ ୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ଟୁନା ମାଛ ମଣିଷ ପାଇଁ ବିପଦଜନକ ନୁହେଁ। ଏମାନେ ଛୋଟ ମାଛ ଖାଇ ବଞ୍ଚିଥାନ୍ତି। ୨୦୨୦ ମସିହାରେ ଟୋକିଓରେ ଏକ ବ୍ଲୁଫିନ୍ ଟୁନା ମାଛ ନିଲାମ କରାଯାଇଥିଲା ଯାହାର ମୂଲ୍ୟ ୧୨.୮ କୋଟି ଥିଲା। ଯାହାର ଓଜନ ୨୭୬ କିଲୋଗ୍ରାମ ଥିଲା।