ଯୋଗୀ ଅଦିତ୍ୟନାଥଙ୍କ ନିଷ୍ପତି; ଡାକ୍ତରଙ୍କ ଅବସର ବୟସ ୫ ବର୍ଷକୁ ବୃଦ୍ଧି

ଯୋଗୀ ଅଦିତ୍ୟନାଥଙ୍କ ନିଷ୍ପତି; ଡାକ୍ତରଙ୍କ ଅବସର ବୟସ ୫ ବର୍ଷକୁ ବୃଦ୍ଧି
abplive

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଡାକ୍ତରଙ୍କ ଅବସର ବୟସ ୫ ବର୍ଷ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ନେଇ ଡାକ୍ତରଙ୍କ ମଧ୍ୟରେ କେଉଁଠି ଖୁସି ତ କେଉଁଠି ଦୁଃଖର ବାତାବରଣ ରହିଛି। ଡାକ୍ତରଙ୍କ ଗୋଟିଏ ବର୍ଗ ଏହାକୁ ବିରୋଧ କରୁଛନ୍ତି ତ ଗୋଟିଏ ବର୍ଗ ଉତ୍ସାହିତ ଅଛନ୍ତି।

ଡାକ୍ତରଙ୍କ ଅବସର ବୟସ ବର୍ତ୍ତମାନ ୬୫ ବର୍ଷ ଅଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ୫ ବର୍ଷ ବୃଦ୍ଧି କରି ୭୦ ବର୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଅବଧିରେ ଡାକ୍ତରଙ୍କ ଅଭାବ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପଛରେ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ଡାକ୍ତରଙ୍କ ଅବସର ବୟସ ବଢିଲେ ସେମାନଙ୍କ ଅଭିଜ୍ଞତାର ଅଧିକ ଲାଭ ନିଆଯାଇପାରିବ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଲାଗୁ ହେବା ପୂର୍ବରୁ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାର ଅଧ୍ୟାପକ ଫୋରମ୍ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଫୋରମ୍ ସଦସ୍ୟମାନେ କହିଛନ୍ତି ଯେ ବାର୍ଦ୍ଧକ୍ୟ ସହିତ ଅନେକ ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟା ଆରମ୍ଭ ହୁଏ। ପୁରୁଣା ଡାକ୍ତର ରୋଗୀଙ୍କୁ ଭଲ ଚିକିତ୍ସା କରିପାରିବେ ନାହିଁ। ରୋଗୀଙ୍କୁ ଉପକୃତ କରିବା ପରିବର୍ତ୍ତେ ଏହା କେବଳ କ୍ଷତି ପହଞ୍ଚାଇବ।

ତାଛଡା ଏହି ନିଷ୍ପତ୍ତି ଲାଗୁ ହେଲେ ନୂଆ ଛାତ୍ରଙ୍କ ପାଇଁ ଅଧ୍ୟାପକ ଆସନ ବଢି ପାରିବନି ଯେଉଁଥିପାଇଁ ନୂଆ ଡାକ୍ତରଙ୍କୁ ମଉକା ମିଳିବନି। ଅଧ୍ୟାପକ ଫୋରମ ପ୍ରତିବାଦ ପଞ୍ଜିକରଣ କରିବାକୁ ଏକ ସାଧାରଣ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି। ଅପରପକ୍ଷରେ କିଛି ଡାକ୍ତର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କିଛି ଡାକ୍ତର କହିଛନ୍ତି, ରାଜନୀତିରେ ୭୫ ବର୍ଷରୁ ଅଧିକ ବୟସ୍କ ମଧ୍ୟ କାମ କରୁଛନ୍ତି। ସେଥିପାଇଁ ଯଦି ଡାକ୍ତର ସୁସ୍ଥ ଅଛନ୍ତି ତାହେଲେ ୭୦ ବର୍ଷ ବୟସ ଯାଏଁ କାମ କରିପାରିବେ।

ଇତି ମଧ୍ୟରେ ଡାକ୍ତର ୬୨ ବର୍ଷ ବୟସରେ ଭିଆରଏସ ନେବାକୁ ଚାହୁଁଥିଲେ ଅବସର ସୁବିଧା ମଧ୍ୟ ଦିଆଯିବ। ଏହି ପ୍ରସଙ୍ଗରେ ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ଅବସର ପରେ ଡାକ୍ତରମାନେ ପ୍ରାୟତଃ ନିଜ କ୍ଲିନିକ୍ ଖୋଲିଥାନ୍ତି କିମ୍ବା ଏକ ବଡ଼ ଡାକ୍ତରଖାନାରେ ସେବା ଦିଅନ୍ତି। ଏହିଭଳି ସ୍ଥିତିରେ ସରକାରଙ୍କ ପାଇଁ ସେବା ଜାରି ରଖିବା ଭଲ। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଡାକ୍ତରଙ୍କ ଅଭାବ ହେତୁ ଅନେକ ସମସ୍ୟା ଦେଖାଦେଇଛି। ଆମକୁ ଡାକ୍ତର ଏବଂ ସେମାନଙ୍କର ଅଭିଜ୍ଞତା ଆବଶ୍ୟକ ସେଥିପାଇଁ ଏଭଳି ପ୍ରସ୍ତାବ ଦିଆଯାଇଛି ବୋଲି ସୁରେଶ ଖାନ୍ନା କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ପ୍ରସ୍ତାବରେ ନିଜ ସମ୍ମତି ଦେଇଛନ୍ତି ଏବଂ ଖୁବ ଶୀଘ୍ର ଏହାକୁ କ୍ୟାବିନେଟରେ ଉପସ୍ଥାପନ କରାଯିବ। କ୍ୟାବିନେଟରୁ ଅନୁମୋଦନ ପାଇବା ମାତ୍ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଡାକ୍ତରଙ୍କ ଅବସର ବୟସକୁ ୫ ବର୍ଷ ବୃଦ୍ଧି କରି ୭୦ ବର୍ଷ କରିବାକୁ ସରକାର ଏକ ପ୍ରସ୍ତାବ ଦେଇଥିଲେ, କିନ୍ତୁ କୌଣସି କାରଣରୁ ଏହା କ୍ୟାବିନେଟରେ ଉପସ୍ଥାପନ ହୋଇପାରିନଥିଲା।