ZyCov-D କୁ ମିଳିଲା ଅନୁମତି; ଜରୁରୀକାଳୀନ ଟିକାକରଣରେ ହେବ ସାମିଲ

ZyCov-D କୁ ମିଳିଲା ଅନୁମତି; ଜରୁରୀକାଳୀନ ଟିକାକରଣରେ ହେବ ସାମିଲ
PHOTO: livemint

କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟାରେ ଆଉ ଏକ ଟିକା ସାମିଲ ହୋଇଛି । ଫାର୍ମା କମ୍ପାନୀ ଜାୟଡସ୍‌ କାଡିଲାର ୩ ଡୋଜ୍‌ ବିଶିଷ୍ଟ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ଭ୍ୟାକସିନ୍‌ର ନାଁ ରହିଛି ZyCov-D । ଡ୍ରଗ୍‌ କଂଟ୍ରୋଲର ଜେନେରାଲ୍‌ ଅଫ ଇଣ୍ଡିଆ (ଡିସିଜିଆଇ)ର ଏକ୍ସପର୍ଟ କମିଟି ଶୁକ୍ରବାର ଏହି ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ଏହା ସହ ଏହି ଟିକାର ଦୁଇ ଡୋଜ୍‌ ଭାରିଏଣ୍ଟର ପ୍ରଭାବ ସମ୍ପର୍କରେ ଡାଟା ମଧ୍ୟ ମାଗିଛି କମିଟି।

ଜେନେରିକ ଔଷଧ କମ୍ପାନୀ କାଡିଲା ହେଲ୍ଥକେୟାର ଲିମିଟେଡେ୍‌ ଜାଇକୋଭ-ଡିର ଜରୁରିକାଳୀନ ବ୍ୟବହାରକୁ ଅନୁମତି ପାଇଁ ଜୁଲାଇ ପହିଲାରେ ଆବେଦନ କରିଥିଲା। ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ହୋଇଥିବା ଶେଷ ଟ୍ରାଏଲ ସମୟରେ ହିଁ ଅନୁମତି ମାଗିଥିଲା କମ୍ପାନୀ। ଟିକାର କାର୍ଯ୍ୟଦକ୍ଷତା (ଏଫିକାସି) ୬୬.୬ ପ୍ରତିଶତ ବୋଲି ଜଣାପଡ଼ିଥିଲା। ଏହି ଭ୍ୟାକସିନ୍‌ ୧୨ରୁ ୧୮ ଆୟୁବର୍ଗର ପିଲାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ବୋଲି କୁହାଯାଇଛି। କିନ୍ତୁ ଏଯାଏଁ ଟ୍ରାଏଲ ଡାଟା ପେପର ସମୀକ୍ଷା କରାଯାଇନାହିଁ।

ତେବେ ଜାୟଡସ୍‌ କାଡିଲା ସମେତ ଏବେ ଭାରତ ପାଖରେ ମୋଟ ୫ କରୋନା ଟିକା ରହିଛି। କୋଭିସିଲ୍ଡ, କୋଭାକ୍ସିନ୍‌, ସ୍ପୁଟନିକ୍‌, ମଡର୍ଣ୍ଣା ଏବଂ ଜାୟଡସ୍‌ ଭ୍ୟାକସିନ୍‌ ଭାରତରେ ଟିକାକରଣରେ ସାମିଲ ହୋଇଛି। ଜାଇକୋଭ୍‌-ଡିକୁ ଆଇସିଏମଆର ସହାୟତାରେ ବିକଶିତ କରାଯାଇଛି। ଏହି ଟିକାକୁ ୨-୮ ଡିଗ୍ରି ସେଲସିୟସ୍‌ ତାପମାତ୍ରରେ ଷ୍ଟୋର କରି ରଖାଯାଇପାରିବ।