ଭୁବନେଶ୍ୱର:ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ େଯାଜନା ନୀତିକୁ ଅତୀତରେ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସମେତ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିବା ସହ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ଏହି କ୍ରମରେ ଜନ ପରିବହନ କ୍ଷେତ୍ରରେ ନବୀନଙ୍କ ଅଭିନବ ପଦକ୍ଷେପକୁ ସ୍ବୀକୃତି ପ୍ରଦାନ କରି ଆଜି କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ୱରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ‘ସିଟି ଉଇଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍’ର ମାନ୍ୟତା ଦେବା ସହ ପୁରସ୍କୃତ କରିଛି।
ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ୱର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ’ (କ୍ରୁଟ୍)ର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଛି। ଛଅ ବର୍ଷ ପୂର୍ବେ ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମୋ ବସ୍ ଏବଂ ମୋ ଇ-ରାଇଡ୍ ସେବା ଆରମ୍ଭ ହୋଇଥିଲା। ଏହାର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ୱଲପୁରର ନାଗରିକଙ୍କ ଜୀବନରେ ଅଭିନ୍ନ ଅଙ୍ଗ ପାଲଟିଥିଲା। ଏବେ ସହରୀ ଜୀବନରେ ‘ମୋ ବସ୍’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଡିଜିଟାଲ କାରବାର ମୋଟ ଟିକେଟ୍ର ୨୫ ପ୍ରତିଶତରୁ ଅଧିକ ହୋଇଛି।
Home ଜନ ପରିବହନରେ ଭୁବନେଶ୍ୱର ଶ୍ରେଷ୍ଠ
