Thursday, March 12, 2026
22 C
Odisha

    ବନ୍ଦ ହେବ ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଚାରପତିଙ୍କ ସମ୍ପର୍କୀୟ ବିଚାରପତି ହେବା ଭଳି ଧାରାକୁ ବନ୍ଦ କରିବା ଦିଗରେ ସୁପ୍ରିମକୋର୍ଟ ବିଚାର କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ହାଇକୋର୍ଟ କଲେଜିୟମ୍‌ ଗୁଡିକ ଆବଶ୍ୟକ ଅସ୍ଥାୟୀ ନିର୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି। ନିର୍ଦେଶାବଳୀରେ ଯେଉଁ ଓକିଲ କିମ୍ବା ଆଇନ ଅଧିକାରୀଙ୍କ ପିତାମାତା କିମ୍ବା ପରିବାରର ନିକଟ ସମ୍ପର୍କୀୟ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିବେ କିମ୍ବା ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବେ ସେମାନଙ୍କ ନାମକୁ ହାଇକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରାଯିବ ନାହିଁ। ବିଚାରପତିଙ୍କ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କୁ ବିଚାରପତି ହେବା ଲାଗି ଅଗ୍ରାଧିକାର ଦିଆଯାଉଥିବା ନେଇ ସାଧାରଣରେ ଏକ ଧାରଣା ରହିଛି। ଏଥିନେଇ ଅନେକ ସମୟରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ଏପରି ଧାରଣାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଉପରୋକ୍ତ ନିଷ୍ପତ୍ତି ନେବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି।ହାଇକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ ସୁପ୍ରିମକୋର୍ଟ କଲେଜିୟମ୍ ପ୍ରିୟାପ୍ରୀତି ତୋଷଣ କରୁଥିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଚାରପତିଙ୍କ ପରିବାର ସଦସ୍ୟଙ୍କୁ ବିଚାରପତି ନିଯୁକ୍ତି ଦେବା ଧାରାକୁ ବନ୍ଦ କରିବାର ପ୍ରସ୍ତାବ ସୁପ୍ରିମକୋର୍ଟ କଲେଜିୟମ୍‌ର ସଦସ୍ୟଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ସୁପ୍ରିମକୋର୍ଟ କଲେଜିୟମ୍‌ରେ ଏବେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସହିତ ବିଚାରପତି ବି.ଆର ଗଭାଇ, ସୂର୍ଯ୍ୟ କାନ୍ତ, ହୃଷୀକେଶ ରାୟ ଓ ଏ.ଏସ୍‌ ଓକା ସଦସ୍ୟ ଅଛନ୍ତି। କଲେଜିୟମ୍‌ର ଜଣେ ବରିଷ୍ଠ ସଦସ୍ୟ ବିଚାରପତିଙ୍କ ପରିବାର ସଦସ୍ୟଙ୍କୁ ବିଚାରପତି ନିଯୁକ୍ତି ଦେବା ଧାରା ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଅନେକ ଯୁବ ଆଇନଜୀବୀ ବିଚାରପତି ହେବାର ସୁଯୋଗ ପାଇବେ। ଅନ୍ୟପଟେ ଏପରି ନିଷ୍ପତ୍ତି ଯୋଗୁଁ କେତେକ ଯୋଗ୍ୟ ପ୍ରାର୍ଥୀ ମଧ୍ୟ ବିଚାରପତି ହେବାରୁ ବଞ୍ଚିତ ହେବେ।ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ପରିବାର ସଦସ୍ୟ ହୋଇଥିବା କାରଣରୁ କେହି ମଧ୍ୟ ବିଚାରପତି ହେବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏପରି ବିଚାରବିମର୍ଶ ମଧ୍ୟରେ ଡିସେମ୍ବର ୨୨ରେ ସୁପ୍ରିମକୋର୍ଟ କଲେଜିୟମ୍ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦେବା ଲାଗି ୬ଜଣଙ୍କ ନାମକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି।
    ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଣିବା ଲାଗି ୨୦୧୫ରେ କେନ୍ଦ୍ର ସରକାରୀ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଗଠନ କରିଥିଲେ। କଲେଜିୟମ୍ ପରିବର୍ତ୍ତେ ଏନଜେଏସି ସିଭିଲ୍‌ ସର୍ଭିସ୍ ଢାଞ୍ଚାରେ ପରୀକ୍ଷା କରି ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାରପତି ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏପରି ବ୍ୟବସ୍ଥାକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ