Wednesday, March 4, 2026
30.6 C
Odisha

    ସମ୍ମମ୍‌ରେ ୪ର୍ଥ ବିଶ୍ୱ କ୍ରିଟିକାଲ୍ କେୟାର ସମ୍ମିଳନୀ ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ସେପ୍ଟେମ୍ବର ୨୦: ପ୍ରତ୍ୟେକ ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ଡାକ୍ତରୀ ଶିକ୍ଷାକୁ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବାକୁ ପଡ଼ିବ ବୋଲି ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
    ଉତମ ଡାକ୍ତରୀ ଚିକିତ୍ସା ବର୍ତମାନ କେବଳ ବଡ଼ ସହର ମାନଙ୍କରେ ଉପଲବ୍ଧ ଅଟେ ଓ ଗ୍ରାମାଂଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଏହି ସୁବିଧା ନିମନ୍ତେ ସେମାନଙ୍କୁ ସହରକୁ ଆସିବାକୁ ପଡ଼ିଥାଏ। ତେଣୁ ଅନେକ ପ୍ରାଣହାନୀ ଘଟିଥାଏ। ଏହାର ପରିବର୍ତନ ଆବଶ୍ୟକ ବୋଲି ୪ର୍ଥ ବିଶ୍ୱ କମ୍ପ୍ରିହେନ୍‌ସିଭ କ୍ରିଟ୍ରିକାଲ୍ କେୟାର ସମ୍ମିଳନୀର ଉଦ୍‌ଘାଟନ ଉତ୍ସବରେ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିଂହଦେଓ ଏହା କହିଛନ୍ତି।
    ଶ୍ରୀ ସିଂହଦେଓ କହିଥିଲେ ଯେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ତେଣୁ ଶିକ୍ଷା ସମାପ୍ତ ହେବା ପରେ ଏହି ଡାକ୍ତରମାନେ ଗ୍ରାମାଂଚଳରେ ରହି କାର୍ଯ୍ୟ କରିବାକୁ ଇଚ୍ଛା ନ କରି ସହରାଭିମୁଖୀ ହୋଇଥାନ୍ତି। ଏହି ପରିସ୍ଥିତିରେ ପରିବର୍ତନ ଆଣିବାକୁ ହେଲେ ଡାକ୍ତରୀ ଶିକ୍ଷାକୁ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବାକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଥିଲେ।
    ଶ୍ରୀ ସିଂହଦେଓ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ଉନ୍ନତ ଓ ବ୍ୟାପକ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଏଥି ନିମନ୍ତେ ଯେ କେହି ସ୍ୱାସ୍ଥ୍ୟ ଶିକ୍ଷା ନିମନ୍ତେ ଆବଶ୍ୟକୀୟ ଭିତିଭୂମୀ ସୃଷ୍ଟି କରିବାକୁ ଚାହିଁବେ ସରକାର ସେଥି ନିମନ୍ତେ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ।
    ଗୁରୁବାର ଆରମ୍ଭ ହୋଇଥିବା ଏହି ୪ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଫର କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ (ଆଇଏସ୍‌ସିସିଏଫ) ସହଯୋଗିତାରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀର ମୂଳପ୍ରସଙ୍ଗ ହେଉଛି ‘ମଲ୍ଟି ଅର୍ଗାନ୍ ଫେଲ୍ୟୁଅର: ପ୍ରିଭେନ୍‌ସନ୍ ଆଣ୍ଡ ମ୍ୟାନେଜମେଂଟ ଡିମିଷ୍ଟିଫାଏଡ’। ଏହି ସମ୍ବନ୍ଧରେ ଏକ ପୁସ୍ତକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିଲା।
    କୋଭିଡ-୧୯ର ତାଣ୍ଡବ ବିଷୟ ଉଲ୍ଲେଖ କରି ଶ୍ରୀ ସିଂହଦେଓ କହିଥିଲେ ଯେ ଏହି ସମୟରେ ଏପରି ଏକ ମହାମାରୀର ମୁକାବିଲା କରିବା ନିମନ୍ତେ ରାଜ୍ୟରେ ଭିତିଭୂମୀ, ଡାକ୍ତର, ଅନ୍ୟାନ୍ୟ କର୍ମଚାରୀ ଓ ଉପକରଣର ଅଭାବ ଥିବା ସତ୍ୱେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତେ ଏକତ୍ରିତ ଭାବେ ଏହି ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ଅନେକ ଜୀବନକୁ ରକ୍ଷା କରାଯାଇ ପାରିଥିଲା।
    ଏହି ଉଦ୍‌ଘାଟନ ଉତ୍ସବରେ ଆଇଏସ୍‌ସିସିଏମ୍‌ର ଅଧ୍ୟକ୍ଷ ପ୍ରଫେସର (ଡ) ପ୍ରଦୀପ କୁମାର ଭଟ୍ଟାଚାର୍ଯ୍ୟ, ସମ୍ମମର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ, ଡବ୍ଲ୍ୟୁ୪ସିର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର (ଡ) ନରେନ୍ଦ୍ର ରୁଙ୍ଗଟା, ସମ୍ମମ୍‌ର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ତଥା ସମ୍ମିଳନୀର ଆୟୋଜନ କମିଟିର ଅଧ୍ୟକ୍ଷ ଡ. ବାନାମ୍ବର ରାୟ ଓ ସମ୍ମମ୍ କ୍ରିିଟିକାଲ୍ କେୟାର ବିଭାଗର ବରିଷ୍ଠ କନ୍‌ସଲଟାଂଟ ତଥା ଆୟୋଜକ କମିଟିର ସଂପାଦକ ଡ. ଆନନ୍ଦ ମିଶ୍ର ଉପସ୍ଥିତ ଥାଇ ବକ୍ତବ୍ୟ ରଖିଥିଲେ।
    ପ୍ରଫେସର (ଡ) ଭଟ୍ଟାଚାର୍ଯ୍ୟ କହିଥିଲେ ଯେ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଗୁରୁତ୍ୱ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ। ଦେଶର ସବୁ ଡାକ୍ତରଙ୍କର ଏ ବିଷୟରେ ଧାରଣା ରହିବା ଆବଶ୍ୟକ ଓ ସେମାନେ ଜୀବନ ରକ୍ଷା ନିମନ୍ତେ ଉଦ୍ଦିଷ୍ଟ ବ୍ୟବସ୍ଥା ଗୁଡ଼ିକୁ ଭଲରେ ଜାଣି ରଖିବା ଦରକାର ବୋଲି ସେ କହିଥିଲେ।
    ଏହାଛଡ଼ା ଏମ୍‌ବିବିଏସ୍ ଶିକ୍ଷା ଶେଷ କରିବା ପରେ ଇନଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଡାକ୍ତରମାନେ କ୍ରିଟିକାଲ୍ କେୟାର କ୍ଷେତ୍ରରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ହେବା ଆବଶ୍ୟକ।
    ପ୍ରଫେସର (ଡ) ରୁଙ୍ଗଟା କହିଥିଲେ ଯେ ଦେଶର ୬୦ ରୁ ୭୦ ପ୍ରତିଶତ ଲୋକ ଏବେ ମଧ୍ୟ ଗ୍ରାମାଂଚଳରେ ବାସ କରୁଛନ୍ତି ଏଣୁ ଛୋଟ ସହରଗୁଡ଼ିକରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କୁ କ୍ରିଟିକାଲ କେୟାର କ୍ଷେତ୍ରରେ ପ୍ରଶିକ୍ଷିତ କରିବା ଦରକାର। ଆଇଏସ୍‌ସିସିଏମ୍ ପକ୍ଷରୁ ଏ ବିଷୟରେ ଆବଶ୍ୟକୀୟ ଜ୍ଞାନ ଓ କୌଶଳ ଏହି ଡାକ୍ତରମାନଙ୍କୁ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ।
    ଡ. ଦାଶ ଅତିଥି ତଥା ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଡ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    ଏହି ଅବସରରେ ଅନ୍ୟାନ୍ୟ ଦେଶ ତଥା ଭାରତରୁ ଯୋଗ ଦେଇଥିବା କ୍ରିଟିକାଲ୍ କେୟାର ବିଶେଷଜ୍ଞ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ରୋଡ ଆଇଲାଣ୍ଡର କ୍ରିଟିକାଲ୍ କେୟାର ବିଶେଷଜ୍ଞ ପ୍ରଫେସର (ଡ) ମିଚେଲ ଏମ୍‌. ଲେଭି, ଅଷ୍ଟ୍ରେଲିଆର ନିଉ ସାଉଥ ୱେଲ୍ସର ପ୍ରଫେସର (ଡ) ମାଇକେଲ ଓ’ଲିଆରି, ଲଣ୍ଡନ ସ୍ଥିତ କିଙ୍ଗସ୍ କଲେଜ ହସ୍ପିଟାଲ୍‌ର ପ୍ରଫେସର (ଡ) ରୁପେନ୍ ଆର୍ଯ୍ୟ, ଭାରତର ଡ. ସମୀର ସାହୁ, ଡ. ଶର୍ମିଲୀ ସିହ୍ନା, ଡ. ପ୍ରଜ୍ଞାନ ରାଉତରାୟ ଏବଂ ଡ. ପ୍ରଶାନ୍ତ କୁମାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    17 %
    1.7kmh
    3 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    37 °

    ସମ୍ବନ୍ଧିତ